ଢେଙ୍କାନାଳ: ଚଳଚଞ୍ଚଳ ହୋଇ ଉଠିଛି ମହିମା ଧର୍ମର ଆଦିପୀଠ କୁହାଯାଉଥିବା ଢେଙ୍କାନାଳର ତପୋବନ ପୀଠ । ପ୍ରସିଦ୍ଧ କପିଳାସ ପାହାଡରେ ପାଦଦେଶରେ ଅବସ୍ଥିତ ଏହି ପୀଠରେ ମହିମା ଧର୍ମର ପ୍ରଚାର ପ୍ରସାର ଆରମ୍ଭ ହୋଇଥିଲା ବୋଲି ରହିଛି ବିଶ୍ବାସ। ପ୍ରତିବର୍ଷ ଏଠାରେ ପାଳନ ହେଉଥିବା ଗୁରୁ-ଶିଷ୍ୟ ମିଳନ ପରମ୍ପରା ବା ତପୋବନ ମେଳା ପାଇଁ ଏବେ ପୀଠରେ ଜମିଛି ହଜାର ହଜାର ମହିମା ଧର୍ମାବଲମ୍ବୀଙ୍କ ଭିଡ।
ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ଅଲୌକିକ ମହିମା ଧର୍ମ । ମହିମା ଧର୍ମର ମୁଖ୍ୟ ପୀଠ ଭାବେ ଢେଙ୍କାନାଳର ମହିମାଗାଦି ଜଣାଯାଉଥିବା ବେଳେ ଧର୍ମର ପ୍ରତିଷ୍ଠାତା ମହିମା ସ୍ବାମୀଙ୍କ ଆତ୍ମଯୋଗ ସାରସ୍ବତ ପୀଠ ହେଉଛି ଏହି ତପୋବନ ପୀଠ। ଏହାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଯେଉଁଥିରୁ ଗୋଟିଏ ହେଉଛି ଏହି ପୀଠରେ ମହିମା ଧର୍ମର ପ୍ରଚାର ଆରମ୍ଭ । କିମ୍ବଦନ୍ତୀ କୁହେ କି କପିଳାସ ପାହାଡର ଦକ୍ଷିଣ ପାଦଦେଶରେ ଅବସ୍ଥିତ ଏହି ପୀଠରେ ଆତ୍ମଯୋଗ ସାଧନାରୁ ସିଦ୍ଧି ପ୍ରାପ୍ତି କରିଥିଲେ ମହିମା ସ୍ବାମୀ । ଏହାପରେ ସେ ତାଙ୍କର ପ୍ରଥମ ଶିଷ୍ୟ ଗୋବିନ୍ଦ ବାବାଙ୍କୁ କାର୍ତ୍ତିକ ଶୁକ୍ଳ ଦଶମୀ ଦିନ ମହିମା ଧର୍ମ ପ୍ରଚାର ପାଇଁ ଆଜ୍ଞା ଦେଇଥିଲେ।
ସେବେଠାରୁ ପ୍ରତିବର୍ଷ ଏହି ପୀଠରେ ପାଳନ ହୋଇଆସୁଛି ଗୁରୁ-ଶିଷ୍ୟ ମିଳନ ପର୍ବ, ତପୋବନ ମେଳା। ଏହି ମେଳାର ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କୌପୀନଧାରୀ ମହିମା ସାଧୁ ବିଶ୍ବ ଶାନ୍ତି ପାଇଁ ଆରମ୍ଭ କରିଛି ହୋମ ଯଜ୍ଞ, ଭଜନ ଜଣାଣ ଓ ବେଢା ପରିକ୍ରମା । ମହିମା ସାଧୁଙ୍କ ଖଞ୍ଜଣୀ ଭଜନ ସହ ଅଲେଖ ମହିମା ଶରଣଂ ଧ୍ବନୀରେ କମ୍ପଛି ଚତୁଃପାର୍ଶ୍ବ।
ତେଣେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମେଳାରେ ଯୋଗ ଦେଇ ମହିମା ଧର୍ମର ମହତ୍ତ୍ବ ଉପଲବ୍ଧି କରିବା ସହ ପୀଠର ଉନ୍ନୟନ ଦିଗରେ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ। ସର୍ବଶେଷରେ ପୀଠରେ ସମ୍ମିଳିତ ପ୍ରସାଦ ସେବନ ସହ ପ୍ରଭୁ ମହିମା ସ୍ବାମୀଙ୍କର ଏହି ଆତ୍ମଯୋଗ ସାରସ୍ବତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହୋଇଥିଲେ ଭକ୍ତ ଓ ଶ୍ରଦ୍ଧାଳୁ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ