ଢେଙ୍କାନାଳ: ଜିଲ୍ଲାରେ ପୁଣି ୩୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୭୯୬ରେ ପହଞ୍ଚିଛି ।
ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ବୁଧବାର ଜିଲ୍ଲାରେ ୩୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳରୁ ୨୦ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଭୁବନରୁ ୩ ଜଣ, ସଦର ଓ ଗଦିଁଆରୁ ଜଣେ ଲେଖାଏଁ , ଓଡାପଡା ବ୍ଳକରୁ ୫ ଜଣ ଚିହ୍ନଟ କରାଯାଇଛି।
ଅନ୍ୟ ୭ ଜଣ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩ ଜଣ ହୋମକ୍ବାରେଣ୍ଟାଇନରୁ, ୭ଜଣ ସ୍ଥାନୀୟ ଆକ୍ରାନ୍ତ ଓ ଅନ୍ୟ ୭ଜଣ କଟକ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସପିଟାଲକୁ ପଠାଯାଇଛି । ସେମାନେ ରହୁଥିବା ବାସଗୃହ ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୭୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ସମୁଦାୟ ୫୭୦ଜଣ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନଲକ-4 ଗାଇଡଲାଇନ ଜାରି କରାଯାଇଛି। ଜିଲ୍ଲାରେ କଟକଣାକୁ ଟିକେ କୋହଳ କରାଯାଇଛି । ବୁଧବାର ଠାରୁ ଦୋକାନ ବଜାର ସବୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ଆଗରୁ ଜିଲ୍ଲାରେ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା। ଯଦି କୌଣସି ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ