ଦେବଗଡ: ଗାଁରେ ତିନି ତିନିଟି ପାଇପ ଅଛି । ହେଲେ ସେ ସବୁ ଅକାମୀ । ବିଶୁଦ୍ଧ ପାନୀୟ ଜଳ ମୁନ୍ଦେ ପାଇଁ ଡହଳ ବକଳ ଗାଁ ଲୋକ । ଖରା ଦିନ ଆରମ୍ଭରୁ ଗାଁରେ ଦେଖା ଦେଇଛି ଜଳ ସଙ୍କଟ । ପିଇବା ପାଣି ମୁନ୍ଦେ ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ ଗାଁ ଲୋକ । ଏ ସମସ୍ୟା ହେଉଛି ଦେବଗଡ଼ ଜିଲ୍ଲା ସୁଗୁଡା ପଞ୍ଚାୟତ ଗୁଣ୍ଡୁରିପଶି ଗାଁର ।
ଗାଁରେ ପ୍ରାୟ 200ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଆଠବର୍ଷ ପୂର୍ବରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ମାତ୍ର ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାର କିଛିବର୍ଷ ପରେ ସେଠାରେ ଖଞ୍ଜା ଯାଇଥିବା ଅଧିକାଂଶ ପାଇପ ଫାଟିଯିବାରୁ ଗାଁକୁ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି ।
ସେପଟେ ଗାଁରେ ଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଗ୍ରାମବାସୀ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରି ଚଳି ଆସୁଛନ୍ତି । ଫଳରେ ଗ୍ରାମବାସୀ ଉତ୍କଟ ଜଳ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ପ୍ରକଳ୍ପର ମରାମତି କରାଇ ପିଇବା ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସୁଗୁଡା ପଞ୍ଚାୟତ କତ୍ତୃପକ୍ଷଙ୍କୁ ଗ୍ରାମବାସୀ ବାରମ୍ବାର ଜଣାଇବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଆଗକୁ ଗ୍ରୀଷ୍ମପ୍ରବାହ ଆହୁରି ବଢିବ । ଗାଁରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟାର ନିରାକରଣ କରା ନଗଲେ ପରିସ୍ଥିତି ଅଧିକ ଜଟିଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ତେଣୁ ଏ ଦିଗରେ ଯଥାଶୀଘ୍ର ଧ୍ୟାନ ହେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଦେବଗଡ଼ରୁ ସରୋଜ ଶତପଥି ଇଟିଭି ଭାରତ