ଦେବଗଡ଼: ୩ ମାସ ତଳେ ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିଲା । ହେଲେ ଆଜି ଯାଏଁ ନୂଆ ଟ୍ରାନ୍ସଫର୍ମର ଲାଗି ପାରିଲାନି । ଫଳରେ ଗାଁରେ ଆଉ ଜଳୁନି ବିଜୁଳି ବତୀ । ମାସ ମାସ ହେଲା କିଟିମିଟି ଅନ୍ଧାର ଭିତରେ ଦିନ କାଟୁଛନ୍ତି ଲୋକେ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଦେଶୀଙ୍କୁଳି ଗ୍ରାମରେ । ଗ୍ରାମବାସୀ ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର କାର୍ଯ୍ୟାଳୟକୁ ଯାଇ ବାରମ୍ବାର ସମସ୍ୟା ଜଣାଉଥିଲେ ବି କର୍ତ୍ତୃପକ୍ଷ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ଦେଶୀଙ୍କୁଳି ଗ୍ରାମରେ ୪୦ ଆଦିବାସୀ ପରିବାର ବସବାସ କରନ୍ତି । ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ହୋଇଛି । ଜିଲ୍ଲାର ଏହି ଦୁର୍ଗମ ପ୍ରାନ୍ତରେ ବସବାସ କରୁଥିବା ଗ୍ରାମବାସୀ ବିଦ୍ୟୁତ ଆଲୁଅ ଟିକିଏ ପାଇ ସହଜରେ ଜୀବନଯାପନ କରୁଥିଲେ । ମାତ୍ର ଆଜକୁ ଦୀର୍ଘ ତିନି ମାସ ହେଲା ଗ୍ରାମରେ ବିଜୁଳି ବତୀ ଜଳୁନି । ଗାଁ ମୁଣ୍ଡରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡି ଯିବାରୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇପଡିଛି । ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଥିବା ବେଳେ ବର୍ଷା ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ଆଲୁଅ ଟିକିଏ ନଥିବାରୁ ବଣ ପାହାଡ଼ ଘେରା ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ତିଳେଇବଣି ଠାରେ ଥିବା ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର କାର୍ଯ୍ୟାଳୟକୁ ଯାଇ ଜଣାଇ ଆସୁଛନ୍ତି । ମାତ୍ର ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ କରିବା ତଥା ପୋଡା ଟ୍ରାନ୍ସଫର୍ମରକୁ ବଦଳାଇ ନୂଆ ଟ୍ରାନ୍ସଫର୍ମର ଲଗାଇବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।
ଏହାମଧ୍ୟ ପଢନ୍ତୁ: ବିକାଶର ବିକଳ ଚିତ୍ର: ନିର୍ମାଣ ହେଲାନି ସ୍ଥାୟୀପୋଲ, କାଠ ପୋଲ ଭରସାରେ କଟିଲାଣି 4 ବର୍ଷ
ଗୋଟିଏ ପକ୍ଷରେ ଗ୍ରାମବାସୀ ନିୟମିତ ଭାବେ ବିଦ୍ୟୁତ ଦେୟ ପୈଠ କରି ଆସୁଥିବା ବେଳେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି । ଉପଭୋକ୍ତାଙ୍କୁ ଉତ୍ତମ ମାନର ବିଦ୍ୟୁତ ସେବା ଯୋଗାଉଥିବା ନେଇ ଟାଟା ପାୱାର କର୍ତ୍ତୃପକ୍ଷ ବାହାସ୍ପଟ ମାରୁଥିବା ବେଳେ ଦୀର୍ଘ ତିନି ମାସ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ଦେସୀଙ୍କୁଳି ଗ୍ରାମବାସୀଙ୍କ ଅବସ୍ଥା ଦେଖିଲେ ଉପଭୋକ୍ତାଙ୍କୁ ଏହି ବିଦ୍ୟୁତ ବିତରଣ ସଂସ୍ଥା କିଭଳି ହେୟ ଜ୍ଞାନ କରିଚାଲିଛି ତାହା ସ୍ପଷ୍ଟ ବାରିହୋଇ ପଡୁଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପୂର୍ବକ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଇଟିଭି ଭାରତ, ଦେବଗଡ଼