ଦେବଗଡ଼: ଆର୍ଥିକ ଅନଟନ ପ୍ରତ୍ୟେକ ବ୍ୟକ୍ତିର ଗତିପଥ ବଦଳାଇ ଦିଏ । ଦେବଗଡ଼ ଜିଲ୍ଲାର କବାଡ଼ି ଖେଳାଳୀ ତପସ୍ବିନୀ ଭୋଇଙ୍କୁ ଦେଖିଲେ ଏହି ଉକ୍ତିଟି ସତ ପ୍ରତୀତ ହୁଏ । ଜଣେ ଜାତୀୟ ସ୍ତର କବାଡ଼ି ଖେଳାଳୀ ହେଉଛନ୍ତି ତପସ୍ବୀନି ଭୋଇ । ହେଲେ ପରିବାର ଆର୍ଥିକ ଦୁରାବସ୍ଥା ଯୋଗୁଁ ଏବେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ତପସ୍ବିନୀ ।
୨୦୧୧ ମସିହାରେ ପ୍ରଥମେ ବିଦ୍ୟାଳୟ ସ୍ତରରେ ଜୁନିଅର କବାଡ଼ି ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିଲେ ତପସ୍ବିନୀ । ପରେ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଖେଳି ବହୁ ସୁନାମ ଅର୍ଜନ କରିଥିଲେ । ବିହାର, ଛତିଶଗଡ଼, ପଞ୍ଜାବ, କେରଳ ଓ ମଧ୍ୟପ୍ରଦେଶ ଭଳି ୬ଟି ରାଜ୍ୟରେ ଜାତୀୟସ୍ତରରେ କବାଡ଼ି ପ୍ରତିଯୋଗିତାରେ ଭାଗ ନେଇ ଦଳକୁ ଚମ୍ପିଆନ ମଧ୍ୟ କରାଇଥିଲେ । 2011ରୁ 2017 ମସିହା ପର୍ଯ୍ୟନ୍ତ ଜୁନିଅର ଓ ସିନିଅର ସ୍ତରରେ ବିଭିନ୍ନ କବାଡ଼ି ପ୍ରତିଯୋଗିତାରେ ଭାଗନେଇ ଜଣେ ପ୍ରତିଭାବାନ କବାଡ଼ି ଖେଳାଳୀ ନିଜକୁ ପ୍ରମାଣିତ କରି ପାରିଥିଲେ ତପସ୍ୱିନୀ ।
ହେଲେ ଭାଗ୍ୟର ବିଡମ୍ବନା, ତପସ୍ୱିନୀଙ୍କୁ ଶେଷରେ ଦାରିଦ୍ର୍ୟ ଆଗରେ ହାର୍ ମାନିବାକୁ ପଡ଼ିଲା । ତିଳେଇବଣି ବ୍ଲକ ବାଙ୍କଦର ଗ୍ରାମର ଧ୍ରୁବ ଚରଣ ଭୋଇ ଓ ରାଧା ଭୋଇଙ୍କ ବଡ଼ ଝିଅ ହେଲେ ତପସ୍ୱିନୀ ଭୋଇ । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ, କବାଡ଼ି ଖେଳ ପ୍ରତି ଆକର୍ଷିତ ହୋଇଥିଲେ । ବାପା ମାଆଙ୍କ ପକ୍ଷରେ କୁଲି ମଜୁରୀ କରି ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ଥିବା ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଲା । ଏହାର ପ୍ରଭାବରେ ୨୦୧୭ରେ ଯୁକ୍ତ ୩ ପାଠପଢ଼ାରେ ଡୋରି ବାନ୍ଧିଦେଲେ ତପସ୍ବିନୀ । ତା ସହିତ ସେ କବାଡ଼ି ଖେଳରୁ ମଧ୍ୟ ଦୁରେଇ ଗଲେ ।
ସରକାର କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ାବିତ୍ଙ୍କୁ ଅନେକ ପ୍ରୋତ୍ସାହନ ଦେଉଥିବା ନେଇ ଢିଣ୍ଡିମ ପିଟୁଛନ୍ତି । ହେଲେ ତପସ୍ୱିନୀ ଭଳି ଜଣେ ଜାତୀୟ ସ୍ତରର କ୍ରୀଡ଼ାବିତ୍ଙ୍କୁ ଏଯାଏଁ କ୍ରୀଡ଼ାବିତ୍ଭାବେ ପରିଚୟ ପତ୍ର ଖଣ୍ଡିଏ ମଧ୍ୟ ମିଳିପାରି ନାହିଁ । ଏହି କ୍ରୀଡ଼ାବିତଙ୍କ ବିଷୟରେ ଲିଗାଲ ରାଇଟ୍ସ କାଉଁସିଲ ଅଫ ଇଣ୍ଡିଆ (Legal Rights Council Of India), ଓଡ଼ିଶା ସଭାପତି ଅରୁନ୍ଧତୀ ଦେବୀ ଗତ କିଛିଦିନ ପୂର୍ବରୁ ତପସ୍ୱିନୀ ଙ୍କୁ ସାକ୍ଷାତ କରିଥିଲେ । ତାଙ୍କୁ ପୁଣିଥରେ ଉତ୍ସାହିତ କରିବା ସହ ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଜାତୀୟ ସ୍ତରର କ୍ରୀଡ଼ାବିତ୍ଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ।
ସରକାରୀ ପ୍ରୋତ୍ସାହନ ଯୋଗାଇଦେଲେ ତପସ୍ବିନୀ ପୁନଃ ତାଙ୍କ କ୍ୟାରିଅର ପ୍ରତି ଧ୍ୟାନ ଦେଇ ରାଜ୍ୟ ପାଇଁ ଗୌରବ ଆଣି ପାରିବେ । ତେବେ ଏନେଇ କ୍ରୀଡ଼ାବିଭାଗର କଣ ଆଭିମୁଖ୍ୟ ରହୁଛି ତାହିରି ରହିଛି ନଜର ।
ଦେବଗଡ଼ରୁ ସରୋଜ ଶତପଥି ଇଟିଭି ଭାରତ