ଦେବଗଡ଼: କୋରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକଡାଉନ କଟକଣାକୁ ଅଧିକ କଡାକଡି ପାଳନ କରାଯିବା ପାଇଁ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ଏହି ମର୍ମରେ ଦେବଗଡ଼ ଏସପି ରାହୁଲ ଜୈନ ଦେବଗଡ଼ ଜିଲ୍ଲାବାସୀଙ୍କୁ ଅପିଲ କରି କୋରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି ।
ମହାମାରୀ କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜନସାଧାରଣ ମୁହଁକୁ ମାସ୍କ କିମ୍ବା ରୁମାଲ ସାହାଯ୍ୟରେ ଘୋଡାଇ ରଖିବା ସହିତ ସାମାଜିକ ଦୂରତା ରକ୍ଷା କରିବା । ଏହାସହ ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ଏସପି ରାହୁଲ ଜୈନ ସମସ୍ତଙ୍କୁ ଅପିଲ କରିଛନ୍ତି । ଏଥି ସହିତ, ସହର ଓ ଗ୍ରାମାଞ୍ଚଳରେ ଥିବା ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ନିୟମାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ନିୟମ ବିରୋଧ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଏସପି ଜୈନ ଚେତାବନୀ ଦେଇଛନ୍ତି । କୋରୋନା ଭୁତାଣୁ ସଂକ୍ରମଣକୁ ମୁକାବିଲା କରିବା ପାଇଁ ଜିଲ୍ଲାବାସୀ ପ୍ରଶାସନକୁ ସହଯୋଗ କରିବାକୁ ଏସ.ପି. ଅନୁରୋଧ କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ