ଦେବଗଡ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ଏହାପରେ ରାସ୍ତା କଥା ଭୁଲିଯାଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଦୀର୍ଘ 4 ବର୍ଷ ହେବ ମରାମତି ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିଛି । ଏହା ହେଉଛି ଜିଲ୍ଲାର ତିଳେଇବଣି ବ୍ଲକରୁ ବାରକୋଟ ବ୍ଲକକୁ ସଂଯୋଗ କରୁଥିବା ଆରଡି ରାସ୍ତାର ଅବସ୍ଥା ।
ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତର ଧୋବଲିପଥର ଗାଁଠାରୁ ବାରକୋଟ ବ୍ଲକ କୁଣ୍ଡାପିଠା ଗାଁ ପର୍ଯ୍ୟନ୍ତ ଯାଇଛି 5 କିଲୋମିଟର ରାସ୍ତା । ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତା ଉପରୁ ସମ୍ପୂର୍ଣ୍ଣ ପିଚୁ ଓ ମେଟାଲ ଉଠିଯାଇ ବଡ ବଡ ଗାଡଖାଲ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ରାସ୍ତା ଦେଇ ଯାତାୟତ କରିବାରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।
ଅଧିକାଂଶ ସମୟରେ ଲୋକେ ଏଠାରେ ବହୁ ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ତିଳେଇବଣି ଓ ବାରକୋଟ ବ୍ଲକର ଜନସାଧାରଣ ନିର୍ଭର କରିଥାନ୍ତି । ମାତ୍ର ଦୀର୍ଘ 4 ବର୍ଷ ହେଲା ରାସ୍ତା ଅବସ୍ଥା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିବାରୁ ଏଠାରେ ଯାତାୟତ କରିବାକୁ ଲୋକେ ଆଉ ନିରାପଦ ମଣୁ ନାହାନ୍ତି । ଆଜକୁ ପାଞ୍ଚ ବର୍ଷ ପୂର୍ବରୁ ଦେବଗଡ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ରାସ୍ତାଟି ନିର୍ମାଣ କରାଯାଇଥିଲା ।
ମାତ୍ର ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା କାରଣରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ସେହିଦିନଠାରୁ ଅଞ୍ଚଳବାସୀ ଏହି ରାସ୍ତାର ସ୍ଥାୟୀ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ତଥାପି ସମସ୍ୟାର ସମାଧାନ ନହେବାରୁ ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଅନ୍ତତଃ ବର୍ଷାଋତୁ ପୂର୍ବରୁ ମରାମତି କରାଯାଇ ଯାତାୟତ ଉପଯୋଗୀ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ