ଦେବଗଡ଼: ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ତଥା ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହକୁମାଠାରେ ଏକ ପର୍ଯ୍ୟଟକ ଗେଷ୍ଟ୍ ହାଉସ ନିର୍ମାଣ ପାଇଁ ଗତ 2015 ମସିହାରେ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇ ଯାଯାବର ଯୋଜନାରେ ଏକ ଅତ୍ୟାଧୁନିକ ଗେଷ୍ଟ୍ ହାଉସ ନିର୍ମାଣ ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ସରକାରଙ୍କ ପର୍ଯ୍ୟଟନ ବିଭାଗ (OTDC) ପକ୍ଷରୁ ଜିଲ୍ଲା ସଦର ମହକୁମାଠାରୁ 3 କିଲୋମିଟର ଦୂରରେ ଅବସ୍ଥିତ ପାଳସାକୁଦର ଛକ ନିକଟସ୍ଥ 49 ନମ୍ବର ଜାତୀୟ ରାଜପଥ କଡ଼ରେ ଏହି କୋଠାର ନିର୍ମାଣ କାର୍ଯ୍ୟ କରାଯାଇଥିଲା । କୋଠା ନିର୍ମାଣ କାର୍ଯ୍ୟ ଗତ ଦୁଇବର୍ଷ ହେଲା ସମାପ୍ତ ହୋଇସାରିଛି । ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ ।
ଗେଷ୍ଟ ହାଉସ ନିର୍ମାଣ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର କାମ ସରିବା ପରେ ସେଠାରୁ ଚାଲି ଯାଇଛନ୍ତି । ନବନିର୍ମିତ କୋଠାଟି ଦୁଇବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହିଥିଲେ ହେଁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ । ଏନେଇ ବୁଦ୍ଧିଜୀବୀ କହିଛନ୍ତି, "ନବ ନିିର୍ମିତ କୋଠାର ଚତୁଃପାର୍ଶ୍ଵ ଜଙ୍ଗଲ ସୃଷ୍ଟି ହେଲାଣି । କେଉଁଠି ପ୍ଲାଷ୍ଟର ଖସି ଗଲାଣି ତ ପୁଣି କେଉଠିଁ ଟାଇଲ ଭାଙ୍ଗିରୁଜି ମାଟିରେ ମିଶିଯିବାକୁ ବସିଲାଣି । ନବନିର୍ମିତ କୋଠାଟି ବ୍ୟବହାର ହୋଇ ନପାରିବାରୁ ଏହା ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି । ଅସାମାଜିକ ଲୋକେ ଏଠାରେ ନାନାଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । କୋଠାଟି ଲୋକାର୍ପିତ କରିବା ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ତିଳେ ହେଲେ ବି ଆନ୍ତରିକତା ଥିବା ଭଳି ପରିଲକ୍ଷିତ ହେଉନାହିଁ । ତେଣୁ ସରକାରଙ୍କ ଅଜସ୍ର ଅନୁଦାନ ଏଠାରେ ପାଣିରେ ପଡିବା ହିଁ ସାର ହୋଇଛି ।"
ଏହି ବ୍ୟୟବହୁଳ କୋଠାଟି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ, କୌଣସି ସୁଫଳ ମିଳୁନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ସମୟ ହେଲା ପରିତ୍ୟକ୍ତ ଭାବେ ପଡ଼ିରହି କୋଠାଟି ମାଟିରେ ମିଶିଯିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ସରକାର ଏହାକୁ କାର୍ଯ୍ୟକ୍ଷମ କରିବା ଦିଗର ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଇଟିଭି ଭାରତ, ଦେବଗଡ଼