ଦେବଗଡ: ଗରିବ ଓ ବାସହୀନ ଲୋକଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କରିଛନ୍ତି କେତେ କ’ଣ ଯୋଜନା । ହେଲେ ଏ ସମସ୍ତ ଯୋଜନା ଯେପରି ଅପହଞ୍ଚ ହୋଇ ପଡିଛି ଦେବଗଡ଼ ଜିଲ୍ଲା ଖିଲେଇ ଗାଁରେ ବସବାସ କରୁଥିବା ସୁରେନ୍ଦ୍ରଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ।
ଦେବଗଡ଼ ଜିଲା ରିଆମାଳ ବ୍ଲକ ଖିଲେଇ ଗାଁରେ ରୁହନ୍ତି ସୁରେନ୍ଦ୍ର ପ୍ରଧାନ । ସ୍ତ୍ରୀ, 3 ପୁଅ ଓ ଗୋଟିଏ ଝିଅକୁ ନେଇ ସୁରେନ୍ଦ୍ରଙ୍କ ପରିବାର । ମୂଲ ମଜୁରୀ କରି ସେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ରହିବାକୁ ତାଙ୍କ ପାଖରେ ନାହିଁ ଖଣ୍ଡିଏ ସ୍ଥାୟୀ ବାସଗୃହ । ଗାଁ ମୁଣ୍ଡରେ ଏକ ଝାଟିମାଟି ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ଆଜିକୁ ଅନେକ ବର୍ଷ ହେବ ବସବାସ କରି ଆସୁଛନ୍ତି ସୁରେନ୍ଦ୍ର ।
ତେବେ ଗତ କିଛି ଦିନ ପୂର୍ବରୁ ଏ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡିଯାଇଥିଲା । ତେଣୁ ଘର ଖଣ୍ଡିକୁ ସଜାଡ଼ିବାକୁ ଅସମର୍ଥ ଥିବା ସୁରେନ୍ଦ୍ର ଅନ୍ୟ କୌଣସି ଉପାୟ ନପାଇ ଘର ଉପରେ ଦଦରା ପଲିଥିନ ଖଣ୍ଡିଏ ଟାଣି ରହି ଆସୁଛନ୍ତି । ଘରର ଛପର ନଥିବାରୁ ଅସୁରକ୍ଷିତ ଓ ଅସ୍ବାସ୍ଥ୍ୟକର କୁଡ଼ିଆରେ ଖୋଲା ଆକାଶ ତଳେ ପିଲାଛୁଆଙ୍କୁ ନେଇ ଏହି ପରିବାର ରହିବାକୁ ବାଧ୍ୟ ହେଉଥିବା ବେଳେ ଖରା, ବର୍ଷା ଓ ଶୀତ କାକର ସମସ୍ତଙ୍କ ରାଜୁତି ରହିଛି ଏଠାରେ । ସରକାରୀ ଯୋଜନାରୁ ସ୍ଥାୟୀ ବାସଗୃହ ଖଣ୍ଡିଏ ପାଇବା ପାଇଁ ଆଜିକୁ ଦୀର୍ଘ ପାଞ୍ଚ ବର୍ଷ ହେଲା ଖିଲେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ, ସମସ୍ତଙ୍କୁ ଗୁହାରି କରି ଆସୁଛନ୍ତି ସେ। ହେଲେ ମିଳିପାରୁନି କୌଣସି ସୁଫଳ ।
ସରକାରୀ ବାସଗୃହ ତ ଦୂରର କଥା, ଏପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ଦଦରା ଛାତ ଉପରେ ଟାଣିବା ପାଇଁ ପଲିଥିନ ଖଣ୍ଡିଏ ମଧ୍ୟ ମିଳିନଥିବା ପ୍ରକାଶ କରିଛନ୍ତି ସୁରେନ୍ଦ୍ର । ସେପଟେ ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ ସରକାର ଇନ୍ଦିରା ଆବାସଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ କେତେ କ’ଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ତେବେ ଦେବଗଡ଼ ଜିଲ୍ଲାରେ ସରକାରଙ୍କ ଏ ସମସ୍ତ ଯୋଜନା କିଭଳି ସଫଳ ରୂପାୟନ ହେଉଛି, ତାହା ଖିଲେଇ ଗାଁର ସୁରେନ୍ଦ୍ରଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କ ଅବସ୍ଥା ଦେଖିଲେ ସ୍ପଷ୍ଟ ଅନୁମେୟ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ