ଦେବଗଡ: ପାହାଡ଼ରୁ ଖସୁଛି ମାଟି । ରାସ୍ତା ଉପରେ ବିଛାଇ ହୋଇ ପଡୁଛି ଟ୍ରିପ ଟ୍ରିପ ମାଟି ଓ ପଥର ଖଣ୍ଡ । ଅବରୋଧ ହେଉଛି ଜାତୀୟ ରାଜପଥ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ସହର ନିକଟସ୍ଥ 53 ନମ୍ବର ଜାତୀୟ ରାଜପଥ ଚିକିଣି ଘାଟି ଠାରେ ।
ଗତ କିଛିଦିନ ଧରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ, ଦେବଗଡ଼ ସହର ନିକଟସ୍ଥ 53 ନମ୍ବର ଜାତୀୟ ରାଜପଥ ଚିକିଣି ଘାଟି ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଛି । ଏହି ରାସ୍ତାର ଏକ ପାର୍ଶ୍ଵରେ ରହିଥିବା ପାହାଡ଼ର ଅଧିକାଂଶ ସ୍ଥାନରେ ପ୍ରତିଦିନ ମାଟି ଅତଡା ଖସିବାରୁ ରାସ୍ତା ଅବରୋଧ ହେଉଛି ।
ଗୁରୁବାର ଏହି ଘାଟି ରାସ୍ତାରେ ଥିବା ବନଦୁର୍ଗା ମନ୍ଦିର ନିକଟସ୍ଥ ପାହାଡ଼ରୁ ମାଟି ଅତଡା ଖସିବାରୁ ମନ୍ଦିରର ଅନେକଅଂଶ ପୋତି ହୋଇଯାଇଛି । ରାସ୍ତା ଉପରେ ଟ୍ରିପ ଟ୍ରିପ ମାଟି ଓ ପଥର ବିଛାଇ ହୋଇ ପଡିଛି । ମନ୍ଦିରର ନଳକୂପ ଓ ପାର୍ଶ୍ଵ ଦେବାଦେବୀ ମାଟିରେ ପୋତିହୋଇ ଯାଇଛନ୍ତି ।
ଦେବଗଡ଼ରୁ ଅନୁଗୁଳ ଅଭିମୁଖେ ଯାଇଥିବା ଏହି 53 ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ । ତେବେ ଘାଟିରାସ୍ତା କଡ଼ରେ ଥିବା ପାହାଡ଼ରୁ ମାଟି ଅତଡା ଖସିବା ଯୋଗୁଁ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ସଡକ ଦୁର୍ଘଟଣାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ମାଟି ଅତଡା ଖସିବା ଫଳରେ ବଡ଼ବଡ଼ ଗଛ ଉପୁଡିବା ପହ, ଜଙ୍ଗଲ ସମ୍ପଦ ଦ୍ରୁତଗତିରେ ଅବକ୍ଷୟ ହେଉଛି । ଏ ଦିଗରେ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ଦୃଷ୍ଟି ନଦେଲେ ଆଗାମୀ ଦିନରେ କୌଣସି ବଡ଼ ଅଘଟଣକୁ ଏଡାଇ ଦିଆଯାଇ ନପାରେ ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ