ଦେବଗଡ଼: ବନ୍ୟାରେ ଧୋଇଗଲା ଜଳସେଚନ ପ୍ରକଳ୍ପ । ଫଳରେ କୃଷି ଉପରେ ନିର୍ଭର କରି ପେଟ ପୋଷୁଥିବା 3ଟି ଗାଁ ଲୋକେ ଚାଷକାର୍ଯ୍ୟ ରୁ ବଞ୍ଚିତ ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତ ଖଇରକାନି ଗାଁରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଚାଷଜମିକୁ ଜଳସେଚନ ଯୋଗାଇଦେବା ଲକ୍ଷ୍ୟରେ ଗତ 2005 - 06 ମସିହାରେ ସରକାର ନିର୍ମାଣ କରିଥିଲେ ଏକ ଜଳସେଚନ ପ୍ରକଳ୍ପ। ହେଲେ ବନ୍ୟା ଆସିବାରୁ ପ୍ରକଳ୍ପର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି।
ଗାଁ ନିକଟରେ ପ୍ରବାହିତ ହେଉଥିବା ଅରଖେଇ ନାଳ ଉପରେ ନିର୍ମାଣ ହୋଇଥିଲା ଏହି ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ବାରା ଖଇରକାନି, ଝିମ୍ପାବିରା ଓ ନୀଳଗଣ୍ଡିଆ ଆଦି ତିନୋଟି ଗାଁର ପାଖାପାଖି 400 ହେକ୍ଟର ଚାଷଜମି ଜଳସେଚିତ ହେଉଥିଲା । ପ୍ରକଳ୍ପ ଯୋଗୁଁ ଗ୍ରାମବାସୀ ଧାନଚାଷ କରିବା ସହ ବିଭିନ୍ନ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ ।
ତେବେ ଦୁଇବର୍ଷ ପୂର୍ବରୁ ଏହି ନାଳରେ ବନ୍ୟା ଆସିବାରୁ ପ୍ରକଳ୍ପର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଧୋଇ ଯାଇଛି । ଏହି ପ୍ରକଳ୍ପରେ ଜଳଧାରଣ କ୍ଷମତା ହ୍ରାସ ପାଇଛି। ଏହାସହ ଆଉ ଚାଷଜମିକୁ ଜଳ ଯୋଗାଇବାରେ ସକ୍ଷମ ହେଉନାହିଁ ଜଳସେଚନ ପ୍ରକଳ୍ପ । ଫଳରେ ଏହି ଅଞ୍ଚଳରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।
ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରି ଆସୁଥିବା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡ଼ିଛି । ଏହି ପ୍ରକଳ୍ପର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଚାଷୀଙ୍କୁ ପୁଣି ଜଳସେଚନ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ