ଦେଓଗଡ: କ୍ଷମତା ଏକ୍ସପ୍ରେସ ପକ୍ଷରୁ ବୁଧବାର ଜିଲ୍ଲାର ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି ମେଗା ସ୍ବାସ୍ଥ୍ୟ ଶିବିର । ତେବେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ପରିକ୍ରମା କରୁଛି ଏହି କ୍ଷମତା ଏକ୍ସପ୍ରେସ ।
ତେବେ ଏହି ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ମୋଟ ୧୪୧ ଜଣ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ୭୯ ଜଣ ଭିନ୍ନକ୍ଷମ, ୧୭ ଜଣ ବରିଷ୍ଠ ନାଗରିକ ଓ ୪୫ ଜଣ ଅନ୍ୟାନ୍ୟ ହିତାଧିକାରୀ ରହିଛନ୍ତି । ଏହି ଶିବିରରେ ଉପସ୍ଥିତ ଅଭିଜ୍ଞ ଡାକ୍ତର, ବିଶେଷଜ୍ଞ ଓ ସ୍ବାସ୍ଥ୍ୟ କର୍ମୀମାନେ ସମସ୍ତଙ୍କ ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି, ବାକ ଶକ୍ତି, ମନସ୍ତତ୍ତ୍ବ ଆଦି ପରୀକ୍ଷା କରିବା ସହିତ ଫିଜିଓଥେରାପି ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏଥି ସହିତ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ସମ୍ବନ୍ଧୀୟ ପଞ୍ଜିକରଣ ପରାମର୍ଶ ଓ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା ।
ଏହି କ୍ଷମତା ଏକ୍ସପ୍ରେସ ଗତ ୧୯ ତାରିଖଠାରୁ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଦଶଦିନ ଧରି ଦେବଗଡ଼ ଜିଲ୍ଲାର ତିଳେଇବଣି, ବାରକୋଟ ଓ ରିଆମାଳ ଆଦି ତିନୋଟି ବ୍ଲକର ସମୁଦାୟ 10ଟି ପଞ୍ଚାୟତ ପରିକମା କରି ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ନିଶାଗ୍ରସ୍ତ ବ୍ୟକ୍ତି, ଭିକ୍ଷୁକ ଓ ଅସହାୟ ଲୋକଙ୍କୁ ବହୁବିଧ ସେବା ଯୋଗାଇ ଦେବାର କାର୍ଯ୍ୟକ୍ରମ ରହିଛି ।
ଦେଓଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ