ଦେବଗଡ: ଦେବଗଡ଼ ଥାନା ଅନ୍ତର୍ଗତ ଚିଲାଣ୍ଟିଖୋଲ ଗାଁରେ ଅଘଟଣ । ପଶୁ ଶିକାର ପାଇଁ ବୋମା ତିଆରି ବେଳେ ବିସ୍ପୋରଣ । ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଛି । ମୃତକ 2 ଜଣ ହେଲେ ରଞ୍ଜିତ ଭୋଇ ଏବଂ ସନ୍ତୋଷ ପଟ୍ଟା । ସେମାନଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମରେ ବୋଲି ଜଣାପଡ଼ିଛି ।
ଗତ ଶନିବାର ଉଭୟ ଚିଲାଣ୍ଟିଖୋଲ ଗାଁରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସି ପଶୁ ଶିକାର ପାଇଁ ବୋମା ପ୍ରସ୍ତୁତ କରୁଥିଲେ । ଏହି ସମୟରେ ହଠାତ୍ ବୋମା ବିସ୍ପୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ପରିବାର ଲୋକେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବାରୁ ଏହା ଲୋକଲୋଚନକୁ ଆସିପାରିନଥିଲା । ମାତ୍ର ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଏ ସଂକ୍ରାନ୍ତରେ ଦେବଗଡ଼ ପୋଲିସକୁ ସୂଚନା ଦିଆଯାଇଥିଲା ।
ରବିବାର ସକାଳେ ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ