ଦେବଗଡ଼: କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଉଦ୍ୟାନ ଭିତ୍ତିକ ଚାଷୀଙ୍କ ପାଇଁ ଡ୍ରୋନ୍ ଟେକ୍ନୋଲୋଜି ବିକଶିତ କରିଛି ବିକଶିତ କରିଛି କୃଷି ବିଜ୍ଞାନ କେନ୍ଦ୍ର । ଡ୍ରୋନ୍ ଟେକ୍ନୋଲୋଜୀ ମାଧ୍ୟମରେ ସାର ଓ ଔଷଧ ସିଞ୍ଚନ କରିପାରିବେ ଚାଷୀ । ଏହି ପ୍ରଣାଳୀ ଦ୍ୱାରା ଚାଷୀମାନେ ଖୁବ ଅଳ୍ପ ସମୟରେ ଅଳ୍ପ ଖର୍ଚ୍ଚରେ ଅଧିକ ଜମିରେ ସାର ଓ ଔଷଧ ସିଞ୍ଚନ କରି ପାରିବେ । ବାରକୋଟ ବ୍ଲକ ଦଣ୍ଡାସିଂଘା ଗ୍ରାମରେ ଏହି ପ୍ରଣାଳୀର ପ୍ରଥମ କରି ସଫଳ ପରୀକ୍ଷଣ କରାଯାଇଛି ।
ଜିଲ୍ଲାରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଏହି ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଚାଷୀମାନେ କେବଳ ଦଶ ମିନିଟରେ ଗୋଟିଏ ଏକର ଚାଷଜମିରେ ସାର ଓ ଔଷଧ ସିଞ୍ଚନ କରିପାରିବେ । ଏହି ପ୍ରଣାଳୀ ରେ ଔଷଧ ସିଞ୍ଚନ କଲେ ଗୋଟିଏ ଏକରରେ ମାତ୍ର ୧୦ ଲିଟର ଔଷଧ ଖର୍ଚ୍ଚ ହେବ । ଏହା ସହିତ ଏହି ପ୍ରଣାଳୀରେ ସାର ଓ ଔଷଧ ସିଞ୍ଚନ କଲେ ଗଛର ପତ୍ର ଉପଯୁକ୍ତ ଭାବେ ଏହାକୁ ଗ୍ରହଣ କରିବା ସହିତ ଗଛ ଭଲ ବଢିବ ଓ ଅଧିକ ଫଳ ଦେବାରେ ସକ୍ଷମ ହେବା ନେଇ କୃଷି ବୈଜ୍ଞାନିକ ସୂଚନା ଦେଇଛନ୍ତି ।
ଏହା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିପାଇଁ ସରକାର ଚାଷୀଙ୍କ ପାଇଁ ରିହାତି ବ୍ୟବସ୍ଥା ମଧ୍ୟ କରିଥିବା ସୂଚନା ଦେଇଛନ୍ତି ବରିଷ୍ଠ କୃଷି ବୈଜ୍ଞାନିକ ଡକ୍ଟର ସୁଜିତ କୁମାର ନାଥ । ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜି କାର୍ଯ୍ୟକାରୀ ହୋଇଥିବାରୁ ଉଦ୍ୟାନ ଚାଷୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ