ଦେବଗଡ଼: ଅକ୍ସିଜେନ ପ୍ଲାଣ୍ଟ ଉପଲବ୍ଧ ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ଭେଣ୍ଟିଲେଟର । ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏଭଳି ଏକ ଅଭିଯୋଗ । ଗୁରୁତର କୋରୋନା ସଂକ୍ରମିତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 6ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି । ହେଲେ ଏଠାରେ ଅକ୍ସିଜେନ ପ୍ଲାଣ୍ଟ ଏହି ଭେଣ୍ଟିଲେଟର କୋରୋନା ଆକ୍ରାନ୍ତ ଚିକିତ୍ସାରେ ଉପଯୋଗ ହୋଇ ପାରୁନାହିଁ । ଫଳରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଗୁରୁତର କୋରୋନା ଆକ୍ରାନ୍ତ ।
ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଉଦବେଗଜନକ ଭାବେ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 6ଟି ଭେଣ୍ଟିଲେଟର ଯୋଗାଇ ଦେବାକୁ ନିବେଦନ କରିଥିଲେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ମେ 8 ତାରିଖରେ ରାଜ୍ୟ ସରକାର ଭେଣ୍ଟିଲେଟର ମଧ୍ୟ ଯୋଗାଇ ଦେଲେ । କିନ୍ତୁ ଅକ୍ସିଜେନ ପ୍ଲାଣ୍ଟ ନଥିବାରୁ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଫଳରେ ଗୁରୁତୁର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବାଧା ଉତ୍ପନ୍ନ ହୋଇଛି ।
ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରି ଭେଣ୍ଟିଲେଟର ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପୁଣିଥରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେଲେ ବହୁ କୋରୋନା ସଂକ୍ରମିତଙ୍କ ଜୀବନ ରକ୍ଷା ହୋଇ ପାରନ୍ତା ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ