ଦେବଗଡ଼: ବାରକୋଟ ବ୍ଲକ 49 ନମ୍ବର ଜାତୀୟ ରାଜପଥର ବଣେଇ ଛକଠାରୁ ବାହାଡାପଶି ପର୍ଯ୍ୟନ୍ତ 2 କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉପରୁ ପିଚୁ ଓ ମେଟାଲ ବାହାରି ଖାଲ ଖମା ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ 2ରୁ 3 ଫୁଟ ବର୍ଷାଜଳ ଜମି ରହୁଥିବା ବେଳେ ଖରା ସମୟରେ ରାସ୍ତାରେ ଧୂଳି ଉଡୁଛି । ରାସ୍ତାରେ ଯାତାୟତ କରୁଥିବା ଲୋକେ ପାଣି କାଦୁଅ ଓ ଧୂଳିଧୁଆଁରେ ଅତିଷ୍ଠ ହୋଇଗଲେଣି । ଫଳରେ ଛୋଟ ବଡ଼ ଦୁର୍ଘଟଣା ଏଠାରେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।

49 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଓରିଏଣ୍ଟାଲ ନାମକ ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟରୁ ଏପରି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ସ୍ଥାନୀୟ ପ୍ରଶାସନର ସମ୍ପୃକ୍ତ ଠିକାସଂସ୍ଥା ପ୍ରତି ରହିଥିବା ପ୍ରିୟାପ୍ରୀତି କାରଣରୁ ରାସ୍ତାର ମରାମତି ହୋଇପାରୁ ନଥିବା ଅଭିଯୋଗ ହେଉଛି।

ଏହି ଜାତୀୟ ରାଜପଥରେ ଦିନତମାମ ହଜାର ହଜାର ଯାନବାହନ ଚଳାଚଳ କରୁଥିବାରୁ ଏହାର ମରାମତି ଜରୁରୀ ହୋଇପଡିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଏନେଇ ଜନ ଆନ୍ଦୋଳନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ