ଦେବଗଡ଼: ଅସୁରକ୍ଷିତ ଗଜରାଜ । ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀର ମୃତ୍ୟୁ ହେଉଛି । ଏବେ ପୁଣି ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । ଦେବଗଡ ଜିଲ୍ଲାର ରିଆମାଳ ରେଞ୍ଜ ନୂଆଁଡ଼ିହି ସେକ୍ସନ ଅନ୍ତର୍ଗତ କଣ୍ଟିମାଳ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାର ପାଣି ଭିତରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ତେବେ ହାତୀପଲ ଜଳଭଣ୍ଡାର ପାରି କରୁଥିବା ବେଳେ ପାଣିରେ ବୁଡିଯାଇ ହାତୀ ଶାବକଟି ପ୍ରାଣ ହରାଇଥିବା ଜଣାପଡିଛି ।
ସୂଚନା ମୁତାବକ, ଗତକାଲି ଅପରାହ୍ନରେ ରିଆମାଳ ରେଞ୍ଜ ନୂଆଁଡ଼ିହି ସେକ୍ସନର ରେଙ୍ଗାଳି ଜଳଭଣ୍ଡାର ପାଣି ମଧ୍ୟରେ ଏକ ହାତୀ ଛୁଆର ମୃତଦେହ ପଡିଥିଲା । ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀ ହାତୀ ଛୁଆଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ହାତୀ ଶାବକର ବୟସ ପ୍ରାୟ ୮ରୁ ୧୦ ମାସ ହେବ ବୋଲି ବନ ବିଭାଗ ଅନୁମାନ କରିଛି । ମୃତ ଶାବକଟି ଜଳଭଣ୍ଡାରରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତୁରନ୍ତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଶାବକ ହାତୀର ମୃତଦେହ ଉଦ୍ଧାର କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ତାଣ୍ଡବ ରଚିଲେ ହାତୀପଲ, ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘର
ଏହା ମଧ୍ୟ ପଢନ୍ତୁ- ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଛୁଆ ମୃତ
ଅନ୍ୟପଟେ ଦେବଗଡ ବନ ବିଭାଗ ଡିଏଫଓ(DFO ) ମଗର ଧାନଜୀ ରାଓସୋ ଏବଂ ଆରସିସିଏଫ( RCCF ) ଡକ୍ଟର ଅରୁଣ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ 34 ଟିକିଆ ହାତୀପଲ ରହି ଉପଦ୍ରବ କରିଆସୁଥିଲେ । ହାତୀପଲ ଲୋକଙ୍କ ଧାନ ଫସଲ ଖାଇବା ସହ ବାଡି ବଗିଚା ଓ ଘରଦ୍ୱାର ନଷ୍ଟ କରୁଥିଲେ । ହାତୀପଲ ମଧ୍ୟରେ ଥିବା ଗୋଟିଏ ଦନ୍ତାହାତୀ ଅଧିକ ହିଂସ୍ର ହୋଇ ଘରଦ୍ୱାର ଭାଙ୍ଗିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ମାରୁଥିଲା । ହାତୀପଲଙ୍କ ଏହି ତାଣ୍ଡବଲୀଳା ସମୟରେ ଗ୍ରାମବାସୀ ଦେବଗଡ଼ ବନ ବିଭାଗକୁ ଖବର ଦେଇଥିଲେ । ଏନେଇ ବିଭିନ୍ନ ଅଞ୍ଚଳର ଲୋକେ ଓ ବନ ବିଭାଗ କର୍ମଚାରୀ ହାତୀପଲକୁ ଘଉଡାଇବାରୁ ସେମାନେ ଜଳଭଣ୍ଡାର ଅତିକ୍ରମ କରି ଅପର ପାର୍ଶ୍ଵକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଶାବକଟି ପାଣିରେ ବୁଡିଯାଇ ଆଖି ବୁଜିଥିବା କୁହାଯାଉଛି ।
ଇଟିଭି ଭାରତ, ଦେବଗଡ