ଦେବଗଡ଼: ପୌରାଞ୍ଚଳରେ ଫେଲ ମାରିଛି ସରକାରଙ୍କ 'ଗ୍ରୀନ ଫିଲ୍ଡ ଏଲଇଡ଼ି ଷ୍ଟ୍ରିଟ ଲାଇଟ' ଯୋଜନା(Greenfield LED Street Light Yojana) । ସରକାରଙ୍କ ରାଜକୋଷରୁ ଏଥିପାଇଁ ବ୍ୟୟ ହୋଇଛି କୋଟି କୋଟି ଟଙ୍କା । ହେଲେ ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା କାରଣରୁ ଏହି ଅନୁଦାନ ଅର୍ଥ ପାଣିରେ ପଡିଥିବା ଅଭିଯୋଗ କରିଛନ୍ତି ଦେବଗଡବାସୀ ।
Greenfield LED Street Light ଯୋଜନାରେ ଦୁର୍ନୀତି ଅଭିଯୋଗ ଦେବଗଡ଼ ପୋୖରାଞ୍ଚଳର ଆଲୋକ ନଥିବା ଅଞ୍ଚଳରେ ଆଲୋକୀକରଣ କରାଯିବାକୁ ଲକ୍ଷ୍ୟ ରଖି ଗତ 2019 ମସିହାରେ ସରକାର ଆରମ୍ଭ କରିଥିଲେ 'ଗ୍ରୀନ ଫିଲ୍ଡ ସ୍ମାର୍ଟ ଏଲଇଡ଼ି' ଯୋଜନା । ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ରମ୍ପଟନ ନାମକ ଏକ ଠିକା ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ପୋଲ ପୋତି 1700 LED ଲାଇଟ ଖଞ୍ଜିଥିଲା । ଏଥିରେ ବ୍ୟୟ ହୋଇଥିଲା ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ଷ୍ଟ୍ରୀଟ ଲାଇଟ ଖଞ୍ଜା ଯିବାର ଗୋଟିଏ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଅଧିକାଂଶ ଲାଇଟ ଏପର୍ଯ୍ୟନ୍ତ ଜଳୁ ନାହିଁ । କାଁ ଭାଁ କିଛି ସ୍ଥାନରେ ଧର୍ମକୁ ଆଖିଠାର ସଦୃଶ କିଛି ଲାଇଟ ଜଳୁଛି । ହେଲେ ଅଧିକାଂଶ ଲାଇଟ ବର୍ଷେ ହେଲା ନଜଳି ପରିତ୍ୟକ୍ତ ଭାବେ ପଡିରହିଛି । ଏହି ଲାଇଟ ଖଞ୍ଜାରେ ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମିଶି ନିମ୍ନ ମାନର ବିଦ୍ୟୁତ ଉପକରଣ ଲଗାଇଥିବା ଓ ଏଥିରେ ବ୍ୟାପକ ଦୁର୍ନୀତି କରାଯାଇ ଅନୁଦାନ ଅର୍ଥ ବାଟମାରଣା କରାଯାଇଥିବା କାରଣରୁ ଅଧିକାଂଶ ଲାଇଟ ଏପର୍ଯ୍ୟନ୍ତ ଜଳୁ ନଥିବା ସାଧାରଣରେ ଅଭିଯୋଗ ହେଉଛି ।
ଫଳରେ ସରକାର ଯୋଉଁ ମହତ ଉଦ୍ଦେଶ୍ୟ ନେଇ ଦେବଗଡ଼ ପୌରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କଲେ, ତାହା ଏପର୍ଯ୍ୟନ୍ତ ସାଧିତ ହୋଇ ପାରିନାହିଁ । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସହର ଆଲୋକୀକରଣ ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ପୌରବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ