ଦେବଗଡ: ଦେବଗଡ଼ ପୌର କାର୍ଯ୍ୟାଳୟରେ ଚରମ ସୀମାରେ ଦୁର୍ନୀତି । ସ୍ଥିତି ଏପରି ହେଲାଣି ଯେ ନିର୍ବାହୀ ଅଧିକାରୀଙ୍କ ଜାଲ ଦସ୍ତଖତ ମଧ୍ୟ କରିବାକୁ ପଛାଉ ନାହାନ୍ତି କର୍ମଚାରୀ । ଦେବଗଡ଼ ପୌର କାର୍ଯ୍ୟାଳୟରେ ପୂର୍ବରୁ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ଜାଲ ଦସ୍ତଖତ କରି କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ପତ୍ର ଉଲ୍ଲେଖ ହୋଇଛି । କାର୍ଯ୍ୟାଳୟର କେହି ଜଣେ କର୍ମଚାରୀ ନଗର ଉନ୍ନୟନ ବିଭାଗକୁ ଏହି ଅଭିଯୋଗ ପତ୍ର ପଠାଇଥିବା ଜଣାଯାଇଛି । ଏନେଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଜୀବ ଲୋଚନ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ପୌର କାର୍ଯ୍ୟାଳୟରେ କେହି ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ସହକାରୀ ଜିଲ୍ଲାପାଳ ରାଜୀବ ଲୋଚନ ନାୟକଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ପାଇବା ପରେ କିଛି ମାସ ସେ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ପୂର୍ବରୁ ପୌର କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ ଫିନାଇଲ, ବ୍ଳଚିଂ ପାଉଡର ଓ ବିଦ୍ୟୁତ ସାମଗ୍ରୀ କ୍ରୟରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଥିଲା । ବର୍ତ୍ତମାନ କାର୍ଯ୍ୟାଳୟର ଆକାଉଣ୍ଟ ଅଧିକାରୀ କେ. ଚାଣ୍ଟିଂ ଆଚାରି ପୌର ପରିଷଦର ବିନା ମଞ୍ଜୁରୀରେ ଲକ୍ଷ ଲକ୍ଷ ଟଙ୍କା ହେରାଫେର କରିଥିବା ଅଭିଯୋଗ ନେଇ ଏକ ଅଭିଯୋଗ ପତ୍ର ନଗର ଉନ୍ନୟନ ବିଭାଗ ନିକଟକୁ ପଠାଯାଇଛି ।
ସେପ୍ଟେମ୍ବର 1 ତାରିଖ ଠାରୁ 15 ତାରିଖ ମଧ୍ୟରେ ସେ ପ୍ରାୟ 17 ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ହୋଇଥିବା ବେଳେ ଏଥିରେ ପୂର୍ବତନ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ଜାଲ ଦସ୍ତଖତ ରହିଛି । କେହି କର୍ମଚାରୀ ଏପରି କରି ନଭେମ୍ବର 2 ତାରିଖରେ କେ. ଚାଣ୍ଟିଂ ଆଚାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନଗର ଉନ୍ନୟନ ବିଭାଗକୁ ପତ୍ର ପଠାଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-ପୌର କାର୍ଯ୍ୟାଳୟ ଘେରିଲେ ପୌର କର୍ମଚାରୀ
ଆକାଉଣ୍ଟ ଅଧିକାରୀ ଜଣେ ଆଉଟସୋରସିଂ କର୍ମଚାରୀ ହୋଇଥିବା ବେଳେ ପୌର ପରିଷଦର ବିନା ଅନୁମୋଦନରେ ହୋଇଥିବା କାର୍ଯ୍ୟ ଗୁଡିକର ବିଲ୍ ନକରିବାରୁ ତାଙ୍କୁ ପଦବୀରୁ ହଟାଇ କେହି ଅସାଧୁ କର୍ମଚାରୀ ଏଭଳି ହୀନ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପୌର କାର୍ଯ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହସ୍ତକ୍ଷେପ କରି ଠିକା କାର୍ଯ୍ୟ ହାତେଇ ଆସୁଥିବା କିଛି ଅସାଧୁ ବ୍ୟକ୍ତିଙ୍କ ପ୍ରରୋଚନାରେ ସମ୍ପୃକ୍ତ କର୍ମଚାରୀ ଏଭଳି ପ୍ରୟାସ କରିଥିବା ସାଧାରଣରେ ଆଲୋଚନା ହେଉଛି । ଏହି ଘଟଣା ଜଣାପଡିବା ପରେ ପୂର୍ବତନ ନିର୍ବାହୀ ଅଧିକାର ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ଏଥିସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି । ଜାଲ ଦସ୍ତଖତ ମାମଲାର ପୋଲିସ ତଦନ୍ତ ଜାରି ରଖିଛି ପୋଲିସ ।
ଇଟିଭି ଭାରତ, ଦେବଗଡ