ଦେବଗଡ଼: କମିଛି ବାଲ୍ୟ ବିବାହ ହାର । ବାଲ୍ୟ ବିବାହ ମୁକ୍ତ ଘୋଷଣା ହେଲା ଦେବଗଡ଼ ଜିଲ୍ଲାର 370 ଗାଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ ୪ ଅନୁଯାୟୀ ଓଡିଶା ରାଜ୍ୟ ବାଲ୍ୟ ବିବାହ ହାର ୨୧.୩ ପ୍ରତିଶତ ଥିବାବେଳେ ,ଦେବଗଡ଼ରେ ଏହାର ହାର ୨୩.୪ ପ୍ରତିଶତ ରହିଛି । ବାଲ୍ୟ ବିବାହ ଭଳି ଏକ କୁପ୍ରଥା ଓ ବେଆଇନ କାର୍ଯ୍ୟର ନିରାକରଣ ପାଇଁ ବିଗତ କିଛିବର୍ଷ ହେଲା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ତଥାପି ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଭାବକଙ୍କୁ ସୁଧାରିବାକୁ ଯାଇ ଜିଲ୍ଲାରେ ୨୦୧୯ରେ ମୋଟ ୩୯ ଟି ଓ ୨୦୨୦ରେ ମୋଟ ୪୨ଟି ବାଲ୍ୟବିବାହକୁ ପୋଲିସ ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ଼ ଲାଇନ ମିଳିତ ଚଢ଼ାଉ କରି ବନ୍ଦ କରାଯାଇଥିବା ଜଣାପଡିଛି ।
ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଇସିଡ଼ିଏସ ସୁପ୍ରଭାଇଜର ଓ ଚାଇଲଡ଼ ଲାଇନ କର୍ମକର୍ତ୍ତାଙ୍କ ଉଦ୍ୟମରେ ପଞ୍ଚାୟତ , ବ୍ଲକ ଓ ଜିଲ୍ଲା ସ୍ତରରେ ବାଲ୍ୟ ବିବାହ ବିରୋଧୀ ଟାକ୍ସ ଫୋର୍ସ ଗଠନ କରାଯାଇଛି । ପରବର୍ତ୍ତୀ ସମୟରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଅଭିଯାନକୁ ସଫଳ କରିବା ପାଇଁ ବିଭିନ୍ନ ଗ୍ରାମରେ ଟାକ୍ସ ଫୋର୍ସର ବୈଠକରେ ଆଲୋଚନା କରାଯାଉଥିଲା । ସ୍ଥାନୀୟ ସରପଞ୍ଚଙ୍କ ଅନୁମୋଦନରେ ବ୍ଲକ ଟାକ୍ସ ଫୋର୍ସର ବୈଠକରେ ସମୀକ୍ଷା କରାଯାଉଥିଲା । ବ୍ଲକ ଟାକ୍ସ ଫୋର୍ସ ଅଧ୍ୟକ୍ଷ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସରପଞ୍ଚଙ୍କ ଠାରୁ ଆସିଥିବା ରିପୋର୍ଟକୁ ସମୀକ୍ଷା କରି ଜିଲ୍ଲା ପ୍ରଶାସନର ଅନୁମୋଦନ ପାଇଁ ପଠାଇ ଥିଲେ।
ବ୍ଲକ ଟାକ୍ସ ଫୋର୍ସର ପ୍ରସ୍ତାବକୁ ସମୀକ୍ଷା କରି ଜିଲ୍ଲା ଟାକ୍ସ ଫୋର୍ସରେ ଗୃହିତ ହେବାପରେ ଜିଲ୍ଲାପାଳ ତିଳେଇବଣି ବ୍ଲକର ୧୧୨ , ବାରକୋଟ ବ୍ଲକର ୧୦୫ ଓ ରିଆମାଳ ବ୍ଲକ ୧୫୩ ଟି ଗାଁକୁ ବାଲ୍ୟବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଥିଲେ । ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚିତ କରିଛନ୍ତି । ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାରେ ଚାଲୁରହିବ । ଏବଂ ଅବଶିଷ୍ଟ ଗାଁକୁ ମଧ୍ୟ ବାଲ୍ୟବିବାହ ମୁକ୍ତ ଗାଁ ଭାବେ ଘୋଷଣା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ