ନିଆଳି: ଅଦିମ୍ଯ ଇଛାଶକ୍ତି ଓ କଠିନ ପରିଶ୍ରମ ଫଳରେ ନିଜ ଲକ୍ଷ୍ଯ ସ୍ଥଳରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛନ୍ତି ସସ୍ମିତା ପୁହାଣ । ଚଳିତ ମାଟ୍ରିକ ରେଜଲ୍ଟରେ କଟକ ଜିଲ୍ଲା ନିଆଳି ବ୍ଳକରେ ଟପ୍ପର ହୋଇଛନ୍ତି । କିନ୍ତୁ ଆର୍ଥିକ ଅବସ୍ଥା ପାଇଁ ଝିଅ ଡାକ୍ତରୀ ପଢ଼ିବା ଆଶା ଓ ସ୍ୱପ୍ନ ସାକାର ହେବ କି ନାହିଁ ଆଶଙ୍କାରେ ଥିଲେ ପରିବାର ଲୋକେ । ହେଲେ ଏନେଇ ଇଟିଭି ଭାରତରେ ସସ୍ମିତା ପୁହାଣଙ୍କ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ସହାୟତାର ହାତ ବଢାଇଲେ ଯଶୋଦା ଦେବୀ ଫାଉଣ୍ଡେସନ ଓ ନବଜ୍ଯୋତି ସାଇନ୍ସ କଲେଜ୍ ।
ସୂଚନା ମୁତାବକ, ସସ୍ମିତା ପୁହାଣ ୯୫.୫ ପ୍ରତିଶତ ହାରରେ ୫୭୩ ନମ୍ବର ରଖି ନିଆଳି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କଟକ ଜିଲ୍ଲା ନିଆଳି ବ୍ଳକର କସର୍ଦ୍ଦା ଗାଁ ସୁରେନ୍ଦ୍ର ପୁହାଣଙ୍କ ଝିଅ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ନିଆଳି ବ୍ଳକର ୯ ଜଣଙ୍କ ଗ୍ରେଡ୍ ଏ୧ ମଧ୍ୟରୁ ସସ୍ମିତା ପୁହାଣ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିଲେ । ତେବେ ସସ୍ମିତାଙ୍କ ବାପା ସୁରେନ୍ଦ୍ର ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ 4ଝିଅ ମଧ୍ୟରୁ ସସ୍ମିତା ହେଉଛନ୍ତି ଦ୍ଵିତୀୟ ଝିଅ ।ଚଳିତ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ପରିବାର ଲୋକେ ବେଶ ଖୁସି ଅନୁଭବ କରିଛନ୍ତି । ଡାକ୍ତରୀ ପାଠ ପଢ଼ିବାକୁ ମନ ବଳାଇଛନ୍ତି ସସ୍ମିତା ପୁହାଣ । ଏଥିପାଇଁ ବାଧକ ସାଜିଥିଲା ଅର୍ଥ । ପ୍ରଥମେ ଏନେଇ ଈଟିଭି ଭାରତ ପକ୍ଷରୁ ସସ୍ମିତା ପୁହାଣଙ୍କ ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା । ଝିଅର ପାଠପଢ଼ା ପାଇଁ ଆର୍ଥିକ ସହାୟତା ସହ ଝିଅର ସ୍ବପ୍ନ ପୂରଣ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ ସସ୍ମିତାଙ୍କ ବାପା ସୁରେନ୍ଦ୍ର । ଏହି ଖବର ପ୍ରସାରିତ ହେବା ପରେ ସହାୟତାର ହାତ ବଢାଇଛନ୍ତି ଦୁଇଟି ସଙ୍ଗଠନ ।
ସସ୍ମିତାଙ୍କ ବାସଭବନକୁ ଭୁବନେଶ୍ୱରର ଯଶୋଦା ଦେବୀ ଫାଉଣ୍ଡେସନର ଫାଉଣ୍ତର ନିବେଦିତା ଲେଙ୍କା ଏବଂ ନବଜ୍ଯୋତି ସାଇନ୍ସ କଲେଜର ଫାଉଣ୍ତର ଶାନ୍ତନୁ ମହାପାତ୍ର ସସ୍ମିତାଙ୍କ ପାଠପଢ଼ା ଦାୟିତ୍ଵ ନେଇଛନ୍ତି ଏବଂ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ସସ୍ମିତାଙ୍କ ପାଠପଢ଼ା ଅର୍ଥ ବାଧକ ସାଜିବ ନାହିଁ । ତେଣୁ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଅନ୍ୟପଟେ ଯଶୋଦାଦେବୀ ଫାଉଣ୍ଡେସନର ଫାଉଣ୍ତର କହିଛନ୍ତି, "ଯଶୋଦାଦେବୀ ଫାଉଣ୍ଡେସନ ଓ ନବଜ୍ଯୋତି ସାଇନ୍ସ କଲେଜ୍ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠପଢ଼ା ଦାୟିତ୍ଵ ନିର୍ବାହ କରିଥାଏ । ସସ୍ମିତାଙ୍କ ବାପା ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଚାରି ଝିଅ ମଧ୍ୟରୁ ସସ୍ମିତା ଦ୍ବିତୀୟ ଝିଅ । ତେଣୁ ଝିଅର ଆଶା ପୂରଣ ପାଇଁ ଆମ ଅନୁଷ୍ଠାନ ସମସ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବ ।"
ଚଳିତ ମାଟ୍ରିକ ପରୀକ୍ଷା ପୂର୍ବରୁ ସସ୍ମିତା ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ । ପରୀକ୍ଷାରେ ସଫଳତା ମିଳିବା ପରେ ସସ୍ମିତାଙ୍କୁ ଏବେ ବିଭିନ୍ନ ସ୍ଥାନରୁ ସମ୍ମାନ ଏବଂ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ସେହିପରି ଚଳିତ ମାଟ୍ରିକ ପରୀକ୍ଷାରେ ନିଆଳି ବ୍ଲକର ପ୍ରିୟଦର୍ଶିନୀ ସାହୁ ରାମେଶ୍ଵର ନୋଡାଲ ବିଦ୍ୟାପୀଠ ଛାତ୍ରୀ ୯୨.୬ ପ୍ରତିହାରରେ ୫୫୬ ନମ୍ବର ରଖିଥିବା ବେଳେ ଗୋବିନ୍ଦରାମ ନୋଡାଲ ବିଦ୍ୟାପୀଠ ଛାତ୍ର ଆଲୋକ ରଂଜନ ପ୍ରଧାନ ୯୦ ପ୍ରତିଶତ ହାରରେ ୫୪୦ ନମ୍ବର ରଖିଛନ୍ତି । ଅନ୍ୟପଟେ ନିଆଳି ହାଇସ୍କୁଲର ଛାତ୍ରୀ ଜଶୋଲାନ ଷଡ଼ଙ୍ଗୀ ୯୧.୫ ପ୍ରତିଶତ ନମ୍ବର ରଖିଛନ୍ତି ।
ଇଟିଭି ଭାରତ, ନିଆଳି