କଟକ: ଆପରେ ଜୀବନ ସାଥି ଖୋଜୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ନଚେତ କେତେବେଳେ ବି ଆପଣ ଠକାମୀର ଶିକାର ହୋଇ ପାରନ୍ତି । ଏକଥା ଆମେ କହୁ ନାହୁଁ । ବରଂ ବର୍ତ୍ତମାନ ସମୟରେ ଏପରି ଅଭିଯୋଗ ପ୍ରାୟ ଆସୁଛି । ଆଜ୍ଞା ହଁ । ଟିକେ ଅସାବଧାନତା ରହିଲେ ଠକଙ୍କ ଦ୍ଵାରା ଆପଣ ବି ଠକାମୀର ଶିକାର ହୋଇପାରନ୍ତି । ବିଶେଷକରି ମାଟ୍ରିମୋନି ଆପରେ ଠକିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଠକମାନେ ଯୁବତୀଙ୍କୁ ବିବାହ ପାଇଁ ନୂଆ ପରିଚୟ ସୃଷ୍ଟି କରୁଛନ୍ତି । ଆଉ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଛନ୍ତି ।କେବଳ ଯେ ଠକୁଛନ୍ତି ତାହା ନୁହେଁ ବରଂ ସମ୍ପର୍କ ସ୍ଥାପନ ପରେ ଶାରିରୀକ ସମ୍ପର୍କ ରଖିବା ପରେ ବ୍ଲାକମେଲିଂ କରୁଛନ୍ତି । ତେବେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏହି ପରି ଏକ ଅଭିଯୋଗ ଆସିଛି । ଯଦିଓ ଏହି ଅଭିଯୋଗ ଟିକେ ଭିନ୍ନ ତଥାପି ଅଭିଯୋଗ ଆସିବା ପରେ ଠକ ଯୁବକକୁ ପୋଲିସ ଗିରଫ କରିଛି ।
କେମିତି ଠକାମିର ଶିକାର ହେଲେ ଯୁବତୀ !
ବିବାହ ପ୍ରସ୍ତାବ ପାଇଁ ଏକ ମାଟ୍ରିମୋନି ସାଇଟରେ ଜୀବନ ସାଥି ଖୋଜୁଥିଲେ ଯାଜପୁର ଜିଲ୍ଲାର ଜଣେ ଯୁବତୀ । ଜୀବନସାଥି ସାଇଟରେ ସାଥି ଖୋଜୁ ଖୋଜୁ ସୁଧାଂଶୁ ବେହେରା ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ଉଭୟ ପ୍ରଥମେ ଫୋନରେ ବାର୍ତ୍ତାଳାପ କରିଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ପରେ ହ୍ୱାଟଆପରେ କଥା ହେଲେ । ପ୍ରାୟ ୭ ଦିନ ସମ୍ପର୍କ ସ୍ଥାପନ ପରେ ଉଭୟ ପ୍ରଥମେ ପରସ୍ପରକୁ ଦେଖା କରିଥିଲେ । ଯୁବତୀ ଜଣକ ଟଙ୍କା ଆବଶ୍ୟକତା ଥିବାରୁ ସେ ସୁନା ବନ୍ଧକ ପାଇଁ ଯୋଜନା କରିଥିଲେ । ତେବେ ଏହି କଥା ଉକ୍ତ ଠକ ଯୁବକଙ୍କୁ କହିଥିଲେ । ତେବେ ଠକ ଯୁବକ ବି ଏକଥା ଶୁଣି ଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ । ଠକ ଯୁବକ ଜଣକ ଯୁବତୀଙ୍କୁ କହିଥିଲେ କି ବ୍ୟାଙ୍କରେ ସୁନା ବନ୍ଧକ ରଖିଲେ ଅଧିକ ସୁଧ ଦେବାକୁ ପଡିବ ।
ତେଣୁ ସମସ୍ତ ଅଳଙ୍କାର ମତେ ଦେଇ ଦିଅ ମୁଁ ଏହାର ବଦଳରେ ଟଙ୍କା ଦେବି । କଟକର ଏକ ସ୍ଥାନକୁ ଆସିବାକୁ ଯୁବତୀଙ୍କୁ କହିଥିଲା ଠକ ଯୁବକ। ଯୁବତୀ ଜଣକ ଠକ ଯୁବକ ଉପରେ ବିଶ୍ୱାସ କରି ସମସ୍ତ ସୁନା ଅଳଙ୍କାର ଧରି କଟକ ଆସିଥିଲା ଏବଂ ଠକ ଯୁବକକୁ ଦେଇଥିଲା ।ଠକ ଯୁବକ ସୁନା ଅଳଙ୍କାର ଧରି ଟିକେ ଅପେକ୍ଷା କର ମୁଁ ଟଙ୍କା ଆଣିବାକୁ ଯାଉଛି । ଯୁବତୀ ଜଣକ ଅପେକ୍ଷା କରିଥିଲେ ମାତ୍ର ଠକ କେଉଁଆଡେ ଗାୟବ ହୋଇ ଯାଇଥିଲା । ତେବେ ଅନେକ ସମୟ ଅପେକ୍ଷା କରି ଯୁବତୀ ଜଣକ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏନେଇ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ....ଚୋରା ସୁନା କାରାବାର ରାକେଟର ପର୍ଦ୍ଦାଫାସ କଲା ପୋଲିସ, 4 ଗିରଫ
ନ୍ୟୁଡ଼ ଫଟୋ ପଠାଇଲେ ସୁନା ଫେରାଇ ଦେବି ...!
ସୁନା ନେଇ ଫେରାର ହୋଇ ଯାଇଥିବା ଠକ ଯୁବକ ଜଣକ କିଛିଦିନ ଫୋନ ବନ୍ଦ କରି ଦେଇଥିଲେ । ପରେ ଅନ୍ୟ ଏକ ନମ୍ବରରୁ ଯୁବତୀଙ୍କୁ ହ୍ୱାଟଆପରେ ଭିଡିଓ କଲ କରିଥିଲା । ଯୁବତୀଙ୍କୁ ନ୍ୟୁଡ଼ ଫଟୋ ଦେଖାଇବାକୁ କହିଥିଲା । ନ୍ୟୁଡ଼ ଫଟୋ ଦେଲେ ସୁନା ଫେରାଇ ଦେବାକୁ କହିଥିଲା । ତେବେ ଏହି ଯୁବତୀଙ୍କୁ କେବଳ ନୁହେଁ ବରଂ ଅନ୍ୟ ଅନେକ ଯୁବତୀଙ୍କୁ ଏପରି ମିଛ କଥା କହି ନିଜ ଜାଲରେ ଫସାଇଥାନ୍ତି ସମ୍ପୃକ୍ତ ଠକ ଯୁବକ । କେତେବେଳେ ନିଜକୁ ଆଇଟି ଅଫିସର ତ ଆଉ କେତେବେଳେ ପୋଲିସ ଅଫିସର କହି ଅନେକ ଯୁବତୀଙ୍କୁ ଏପରି ଠକି ଥାଏ ଉକ୍ତ ଯୁବକ । ତେବେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଠକକୁ ଗିରଫ କରିବା ସହ ୩୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ।
ଇଟିଭି ଭାରତ,କଟକ