କଟକ: କାନ୍ଥରୁ ଲିଭିନି ବାହା ଚିତା, ହେଲେ ଲିଭିଗଲା ଜୀବନ ଦୀପ । ଯୌତୁକ ଜୁଇରେ ଜଳିଗଲେ ବଧୁ । ଯୌତୁକରେ ବୁଲେଟ୍ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବିଡ଼ାନାସୀ ଅଞ୍ଚଳରେ ।
ସୂଚନା ଅନୁସାରେ, ଦୁଇବର୍ଷ ତଳେ କଟକ ପୁରୀଘାଟ ଅଞ୍ଚଳର କୌଶଲ୍ୟା ବେହେରା ବିଡ଼ାନାସୀ ଅଞ୍ଚଳର ଦିବାକର ଦାସଙ୍କ ପୁଅ ଜନ୍ମଜୟ ଦାସକୁ ବିବାହ କରିଥିଲେ । ଉଭୟଙ୍କର ଏକ ୧୪ ମାସର ପୁଅ ମଧ୍ୟ ଅଛି । କିନ୍ତୁ ଗତକାଲି ରାତିରେ କୌଶଲ୍ୟା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପା ଘରକୁ ଜଣାଇଥିଲେ ଶ୍ବଶୁର ଘର ଲୋକେ । ପରିବାର ଲୋକ ତୁରନ୍ତ ଝିଅର ଶ୍ବଶୁର ଘରେ ପଞ୍ଚିବା ସହ ଝିଅକୁ ମୃତାବସ୍ଥାରେ ଦେଖିଥିଲେ । କିନ୍ତୁ କୌଶଲ୍ୟା ଆତ୍ମହତ୍ୟା କରିଥିବେ ବୋଲି ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାରବର୍ଗ ।
ଏହା ମଧ୍ୟ ପଢ଼ନ୍ତୁ...ମାଟ୍ରିମୋନି ସାଇଟରୁ ବର ଖୋଜି ଝିଅକୁ ବିବାହ ଦେଇଥିଲେ, ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ
ତେବେ କୌଶଲ୍ୟାଙ୍କ ବାପା କୃଷ୍ଣଚନ୍ଦ୍ର ବେହେରା ଆଣିଥିବା ଅଭିଯୋଗ କ୍ରମେ, "୨୦୨୧ ମସିହା ଡ଼ିସେମ୍ବର ୧ରେ ଝିଅକୁ ବାହା କରାଇଥିଲି । ବାହାଘରରେ ସମସ୍ତ ଜିନିଷପତ୍ର ଦେବା ସହ 3 ଲକ୍ଷ ଟଙ୍କା ଯୌତୁକ ମଧ୍ୟ ଦେଇଥିଲି । କିନ୍ତୁ ବିବାହର କିଛି ଦିନ ପରେ ବୁଲେଟ୍ ପାଇଁ ଦାବି କରି ଆସୁଥିଲେ ଜ୍ବାଇଁ ଜନ୍ମେଜୟ । ଆଉ ବୁଲେଟ୍ ନମିଳିବାରୁ ପ୍ରତିଦିନ ମଦ ପିଇ ବାରମ୍ବାର କୌଶଲ୍ୟାଙ୍କୁ ନିର୍ଯାତନା ଦେଉଥିଲେ ଜ୍ବାଇଁ । କିନ୍ତୁ ଗତକାଲି ରାତିରେ ଝିଅର ଶାଶୁଘର ଲୋକ ମିଶି କୌଶଲ୍ୟାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି । ତେଣୁ ଅଭିଯୁକ୍ତ ଜ୍ବାଇ ଜନ୍ମେଜୟକୁ ଫାସି ଦିଆଯାଉ।"
ଅନ୍ୟପକ୍ଷେ, ଟିକେ ଟିକେ କଥାରେ କୌଶଲ୍ୟା ରାଗିଯାଆନ୍ତି ଏବଂ ଘରକୁ ଯଦି ମୋ ଝିଅ ମାନେ ଆସନ୍ତି ତେବେ ସେ ତାହାର ବିରୋଧ କରିବା ସହ ଘରକୁ କାହାକୁ ନଆସିବା ପାଇଁ ବାରଣ କରନ୍ତି ବୋଲି କହିଛନ୍ତି କୌଶଲ୍ୟାଙ୍କ ଶ୍ବଶୁର । ତେବେ ଝିଅର ବାପାଘର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ବିଡାନାସୀ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତ୍ୟଦେହକୁ ଉଧାର କରି ବ୍ୟବଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ତେବେ ଏହି ଦିଗରେ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, କଟକ