କଟକ: ଜଳମଗ୍ନ ସମସ୍ୟା କଟକ ସହରର ଅନେକ ତଳିଆ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଦୁଃଖର କାରଣ ପାଲଟିଛି । ଏହା ବର୍ତ୍ତମାନର ସମସ୍ୟା ନୁହେଁ ବରଂ ଦୀର୍ଘ ଦିନର । ଖରା -ବର୍ଷା-ଶୀତ ଦିନ ଏମାନଙ୍କ ପାଇଁ ସତେ ଯେପରି ଏକ । କାରଣ ବର୍ଷକ ବାର ମାସ ତଳିଆ ଅଞ୍ଚଳ ଗୁଡିକରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ଆଉ ଯଦି ଟିକିଏ ବର୍ଷା ହୋଇଯାଏ, ସେମାନଙ୍କ ସମସ୍ୟା ସତେ ଯେପରି ଦ୍ବିଗୁଣିତ ହୋଇଯାଏ। କହିବାକୁ ଗଲେ ବର୍ଷା ଯେପରି ସେମାନଙ୍କ ପାଇଁ ଅଭିଶାପ ପରି । ଜଳମଗ୍ନ ସମସ୍ୟା ସମାଧାନ କରିବାକୁ ସିଏମସିକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କୌଣସି ସଫଳ ମିଳୁନଥିବା ସହରବାସୀ ଅଭିଯୋଗ କରିଛନ୍ତି ।
କଟକ ସହରର ପଟାପୋଲ, ସୁତାହାଟ,ମେରିଆବଜାର,ବାରପଥର, ଦମାଣ୍ଡିଆ,ରକ୍ସିଲେନ, କାଜିବଜାର, ରୋଭରଷ୍ଟ୍ରିଟ ଆଦି ହେଉଛି ତଳିଆ ଅଞ୍ଚଳ । ଏହି ଅଞ୍ଚଳରେ ଜଳମଗ୍ନ ସମସ୍ୟା ଦୂର କରିବାକୁ ପୂର୍ବରୁ କୈଣସି ସଠିକ ପଦକ୍ଷେପ ନିଆଯାଉନଥିଲା । ମାତ୍ର କଟକ ବାରବାଟୀ ଆସନରୁ ମହମ୍ମଦ ମୋକିମ, ବିଧାୟକ ଭାବେ ନିର୍ବାଚିତ ହେବାପରେ ଏନେଇ ପଦକ୍ଷେପ ନେଉଥିବା ବିଧାୟକ ମୋକିମ କହିଛନ୍ତି । ତଳିଆ ଅଞ୍ଚଳରେ ଜଳମଗ୍ନ ନହେବା ପାଇଁ ସହରର ନାଳର ସଫା ହେବା ସହ ପୋତି ହୋଇଥିବା ନାଳର ମରାମତି କରାଯାଉଛି । ବିଧାୟକ ନିଜେ ଉପସ୍ଥିତ ରହି ଏହି କାମର ତଦାରଖ କରୁଛନ୍ତି । ସେହିପରି କୋରୋନା ପାଇଁ ଉକ୍ତ ସ୍ଥାନମାନଙ୍କରେ ଯାଇକା କାମ ସରିନଥିବାରୁ ଅଳ୍ପ ସ୍ଥାନମାନଙ୍କରେ ଏହି ଜଳମଗ୍ନ ସମସ୍ୟା ରହିଛି । ଆସନ୍ତା ବର୍ଷ ସୁଦ୍ଧା ଏହି ସମସ୍ତ ସମସ୍ୟା ସମାଧାନ ହୋଇଯିବ ବୋଲି କଟକ ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ କହିଛନ୍ତି ।
ବର୍ଷା ପୂର୍ବରୁ ସହରର ସମସ୍ତ ନାଳକୁ ସଫା କରିବା ଆଳରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଏଯାବତ ଏହି ସମସ୍ୟାର ସମାଧାନ କରାଯାଇପାରି ନାହିଁ । ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ସହରର ତଳିଆ ଅଞ୍ଚଳ ସମେତ ଅନେକ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୁଏ । ତେବେ ଅପେକ୍ଷା କେବେ ଶେଷ ହେବ ସହରର ଜାଇକା ପ୍ରକଳ୍ପ ଆଉ କେବେ ଜଳମଗ୍ନରୁ ତ୍ରାହି ମିଳିବ ସହର ବାସୀଙ୍କୁ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ