କଟକ: ଜାଇକା ପରେ କଟକ ସହରବାସୀଙ୍କୁ ୱାଟକୋ ଦେଉଛି ଯମ ଯନ୍ତ୍ରଣା । ରାସ୍ତାଘାଟ ଖୋଳି ମରାମତି ନ କରିବା, ମୁକୁଳା ଡ୍ରେନକୁ ନ ସଜାଡ଼ିବା, ୱାର୍ଡ଼ରେ କର୍ପୋରେଟରମାନଙ୍କ ବିନା ଅନୁମତିରେ ମନମୁଖୀ କାମ କରିବା ଅଭିଯୋଗ କଲେ ମଧ୍ୟ ଅଭିଯୋଗ ନ ଶୁଣିବା ଭଳି ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ କର୍ପୋରେଟର ଟିମ୍ । ବିରୋଧୀ ଦଳ ନେତା ସନ୍ତୋଷ ଭୋଳଙ୍କ ନେତୃତ୍ବରେ ୱାଟକୋର ଜି.ଏମଙ୍କୁ ଭେଟି ସହରର ସମସ୍ୟା ବିଷୟରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଗକୁ ପାର୍ବଣ ଆସୁଥିବା ବେଳେ କଟକ ସହରର ମୌଳିକ ସମସ୍ୟା ସମାଧାନ କରିବାରେ ଜାଇକା ପରେ ୱାଟକୋ ମଧ୍ଯ ଫେଲ୍ ମାରିଛି । ଆଗାମୀ ୧୫ ଦିନ ମଧ୍ୟରେ ଯଦି ରାସ୍ତାଘାଟଠୁ ନେଇ ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ନ ହୁଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ୱାଟକୋ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିବ ବୋଲି ଚେତାବନୀ ଦେଇଛି କର୍ପୋରେଟର ଟିମ ।
କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳଙ୍କ କହିବାନୁସାରେ, କଟକ ସହରରେ ବର୍ତ୍ତମାନ ସମୟରେ ନାହିଁ ନଥିବା ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଛି । ପାନୀୟ ଜଳ ଯୋଗାଣ କରୁଥିବା ସଂସ୍ଥା ୱାଟକୋ ପାନୀୟ ଜଳ ପହଞ୍ଚାଇବାରେ ଅନିୟମିତତା ହେଉ ଅବା ରାସ୍ତା ଖୋଳି ପାଇପ୍ ବିଛାଇବା ପରେ ଉପୁଜୁଥିବା ସମସ୍ୟା ହେଉ ସବୁଥିରେ ସହରବାସୀ ହନ୍ତସନ୍ତ ହେଉଛନ୍ତି । ୱାଟକୋ ପାଇପ୍ ଲାଇନ୍ ଖୋଳାରେ କୋଟି କୋଟି ଟଙ୍କାର ହେରଫେର ହୋଇଛି ।''
ଏହା ବି ପଢନ୍ତୁ...ଜାଇକା ଜ୍ବାଳାରେ କଟକବାସୀ, ତେଜୁଛି ଅସନ୍ତୋଷ
ସେ ଆହୁରି ମଧ୍ୟ କହିଛନ୍ତି,‘‘ଠିକାଦାର ଓ ୱାଟକୋ ଅଧିକାରୀମାନଙ୍କର ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଛି । 15 ଦିନ ମଧ୍ୟରେ ଏହାର ତଦନ୍ତ ନକରାଗଲେ କିମ୍ବା ସମସ୍ୟାର ସମାଧାନ ଯଦି କରାନଯାଏ ତେବେ ଆଗାମୀ ଦିନରେ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସରେ ଅଭିଯୋଗ କରାଯିବ । ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇବୁ । ପ୍ରଥମେ ଜାଇକାର ଚିନ୍ତା ଆଉ ଏବେ ୱାଟକୋର ମନମାନିକୁ ନେଇ ନିଷ୍ପେସିତ ହେଲେଣି ସହରବାସୀ ।''
ବିଗତ 10 ବର୍ଷ ଧରି କଟକରେ ଜାଇକା କାର୍ଯ୍ୟରତ ରହିଛି । ଏହାରି ଭିତରେ ଅନେକଙ୍କ ପ୍ରାଣ ମଧ୍ୟ ଯାଇ ସାରିଛି । ତେବେ ୱାଟକୋର ରାସ୍ତା ଖୋଲିବା କାମରେ ବର୍ଷା ଦିନେ ଯେଉଁ ସ୍ଥିତି ଉପୁଜୁଛି ତାହାକୁ ଦେଖିଲେ କଟକ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି । ଏହି ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ସହ ଶୀଘ୍ର ୱାଟକୋ କାର୍ଯ୍ୟକୁ ଶେଷ କରିବା ପାଇଁ ଦାବି କରିଛନ୍ତି କର୍ପୋରେଟର ।
ଇଟିଭି ଭାରତ, କଟକ