କଟକ: ରଥଯାତ୍ରା ଅବସରରେ ପୁରୀରେ 10 ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କୁ ଖାଦ୍ୟ ଯୋଗାଇବେ କଟକର ଦୁଇ ଭଉଣୀ ଲିଙ୍କି ଓ ଚିଙ୍କି । ଦୁଇ ବର୍ଷ ପରେ ରଥଯାତ୍ରା ପୂର୍ବପରି ହେବାକୁ ଯାଉଥିବାବେଳେ ଭକ୍ତଙ୍କ ସମାଗମକୁ ନଜରରେ ରଖି ମାଗଣା ଖାଦ୍ୟ ଯୋଗାଇ ଦେବାକୁ ଏହି ଦୁଇ ଭଉଣୀ ମନସ୍ତ କରିଛନ୍ତି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଖାଦ୍ୟ ବାଣ୍ଟିବାକୁ ଦୁହିଁଙ୍କୁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି ।
ସେପଟେ କଟକର କିଛି ହୃଦୟବାନ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । ତେବେ ଜଗାର ବିନା ଆର୍ଶୀବାଦରେ ଏପରି ଏକ ଯୋଜନା ଅସମ୍ଭବ ବୋଲି କହିଛନ୍ତି ଉଭୟ । ସିଡିଏ ସେକ୍ଟର 10ରେ ରହୁଥିବା ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି ମହାପ୍ରଭୁଙ୍କ ଘୋଷଯାତ୍ରାରେ ବାଣ୍ଟିବେ ମାଗଣା ଖାଦ୍ୟ । କୋଭିଡ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ବେଶ୍ ଚର୍ଚ୍ଚାରେ ରହିଥିଲେ ଏହି ଦୁଇ ଭଉଣୀ । ତେବେ ଏହି କାର୍ଯ୍ୟ ନିରନ୍ତର ଭାବରେ କରି ଆସୁ ଥିବାବେଳେ ଆସନ୍ତାକାଲି ପୁରୀ ରଥଯାତ୍ରାରେ ଖାଦ୍ୟ ବାଣ୍ଟିବେ ଦୁଇ ଭଉଣୀ ।
କଟକର ବିଭିନ୍ନ ପରିବା ମଣ୍ଡିରୁ ପରିବା ଓ ମସଲା ସାମଗ୍ରୀ କିଣି ଆଜି ପୁରୀ ଅଭିମୁଖେ ବାହାରିଛନ୍ତି ଦୁଇ ଭଉଣୀ । ଭକ୍ତମାନଙ୍କୁ ମାଗଣାରେ ଅରୁଆ ଭାତ, ଡାଲମା, ଖଟା, ବିସ୍କୁଟ, ପାଣି ବୋତଲ ବ୍ୟବସ୍ଥା କରିଛନ୍ତି ଚିଙ୍କି-ଲିଙ୍କି ।
ଅନ୍ୟପଟେ ଦୁଇ ଭଉଣୀ ପୂର୍ବରୁ କୋଭିଡ ସମୟରେ ନିଜ ଅର୍ଥରେ ଆରମ୍ଭ କରିଥିଲେ ଏହି ଖାଦ୍ୟ ବାଣ୍ଟିବା ପ୍ରୟାସ । ପ୍ରତିଦିନ ବୁଲି ବୁଲି 400 ରୁ 500 ଅସହାୟ ଓ ଗରିବ ଲୋକଙ୍କୁ ଖାଦ୍ୟ ଦେଇ ସେମାନଙ୍କ ମୁଁହରେ ଫୁଟାଇଥିଲେ ହସ । ବର୍ତ୍ତମାନ ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ବାଣ୍ଟିବା ମନୋବୃତ୍ତିକୁ ସମର୍ଥନ କରି ଆଗେଇ ଆସିଛନ୍ତି ପରିବାର ଓ ପଡୋଶୀ । ଏହି ମହାନ କାର୍ଯ୍ୟକୁ ସୁଚାର ରୂପରେ ସମ୍ପାଦନ କରିବା ପାଇଁ ଅନେକ ହୃଦୟବାନ ବ୍ୟକ୍ତି ବଢ଼ାଇଛନ୍ତି ହାତ । ଏହାସହ ପରିବାରର ପୂର୍ଣ୍ଣ ସମର୍ଥନ ଯୋଗୁଁ ମଧ୍ୟ ଏହି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି କହିଛନ୍ତି ପରିବାର ସଦସ୍ୟ ଓ ପଡୋଶୀ ।
ତେବେ ପୁରୀ ସୁବାଷ ବୋଷ ଛକରେ ଏହି ମହତ କାମ କରିବେ ଦୁଇ ଭଉଣୀ । ଚଳିତବର୍ଷ ପୁରୀ ରେ 10 ହଜାର ଲୋକଙ୍କୁ ଖାଦ୍ୟ ବାଣ୍ଟିବା ଲକ୍ଷ୍ୟ ରଖିଥିବା ଦୁଇ ଭଉଣୀ ଆସନ୍ତା ବର୍ଷକୁ ଏକ ଲକ୍ଷ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ନେଇ ଆଶା ରଖିଥିବା କହିଛନ୍ତି ।
ଇଟିଭି ଭାରତ, କଟକ