କଟକ: ଆଜି ଶପଥ ନେବେ ନିଯୁକ୍ତି ପାଇଥିବା ହାଇକୋର୍ଟର ଦୁଇ ବିଚାରପତି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା । ଦୁଇନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ସକାଳ ୧୦ଟା ସମୟରେ ହାଇକୋର୍ଟର ପୁରୁଣା ବିଲ୍ଡିଂ ରେ ଥିବା ନୂତନ କନଫରେନ୍ସ ହଲ ଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିଏମ୍ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିଲେ । ୨୦୨୩, ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ୟ ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ସୁପାରିସ କରିଥିଲେ । ଏହି ସୁପାରିସ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସହମତ ହୋଇଥିଲେ । ଏହାପରେ ଉଭୟଙ୍କ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯିବା ସହିତ ସୁପାରିସ କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ-ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର
ଶିବ ଶଙ୍କର ମିଶ୍ର ଜୟପୁରଠାରେ ୧୯୬୮, ମେ ୩ରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଆଇନ ମହାବିଦ୍ୟାଳୟରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଆନନ୍ଦ ଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବରେ କାର୍ଯ୍ୟରତ ଅଛନ୍ତି ।
ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିିରେ ଉଲ୍ଲେଖ କରାଯାଇଛି ଯେ, ଶିବ ଶଙ୍କର ମିଶ୍ର ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ । ତାଙ୍କର ୩୦ ବର୍ଷର ଆଇନଜୀବୀ ଭାବେ ଅଭିଜ୍ଞତା ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଅନ୍ ରେକର୍ଡ ଅଛନ୍ତି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି । ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଓ ପେଶାଗତ ଭାବମୂର୍ତ୍ତି ରହିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସେ ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେଶାଗତ ଭାବମୂର୍ତ୍ତି ରହିଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦ ଚନ୍ଦ୍ର ବେହେରା ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନକରି, ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଏନେଇ କେତେକ କାରଣ ଦର୍ଶାଯାଇଥିଲା । ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଇଟିଭି ଭାରତ, କଟକ