କଟକ: ରାତି ଅଧରେ କଟକ ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ବିଭତ୍ସ ହତ୍ୟା ଘଟଣା ପଛରେ ଲୁଟ ନୁହେଁ ବରଂ ପ୍ରତିଶୋଧରୁ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି । ମୃତ ଶ୍ରୀନାଥ ସାମଲଙ୍କ ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀଙ୍କ ସହ ହୋଇଥିବା ବିବାଦରୁ ଏପରି ହୋଇଥିବା କୁହାଯାଉଛି ।
ଗତ ଦୁଇ ମାସ ହେଲା ମୃତ ଶ୍ରୀନାଥ ସାମଲଙ୍କ ଘରେ ଭଡାରେ ରହି ଆସୁଥିବା ଜଣେ ରାଜମିସ୍ତ୍ରୀ ବିଭିନ୍ନ ସମୟରେ ବ୍ରହ୍ମପୁର ଅଞ୍ଚଳର ଏକାଧିକ ଯୁବକଙ୍କୁ ଉକ୍ତ ଘରେ ରହିବାର ସୁଯୋଗ ଦେଉଥିଲେ । ରାଜମିସ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବାରମ୍ବାର ଶ୍ରୀନାଥ ଓ ତାଙ୍କ ସ୍ତ୍ରୀ ବିରୋଧ କରୁଥିଲେ । ମାତ୍ର ରାଜମିସ୍ତ୍ରୀ ଜଣକ ସେମାନଙ୍କ କଥାକୁ ଅଣଦେଖା କରିବାରୁ ବାଧ୍ୟ ହୋଇ ଶ୍ରୀନାଥ ରାଜମିସ୍ତ୍ରୀଙ୍କୁ ଘରୁ ବାହାର କରି ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଏହି ଘଟଣାର ତଦନ୍ତ କରିବାକୁ କମିଶନରେଟ ପୋଲିସର ଜଣେ ଅତିରିକ୍ତ ଏସିପିଙ୍କୁ ଦାୟିତ୍ବ ନେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କଟକ ଡିସିପି କହିଛନ୍ତି । ଏହି ହତ୍ୟାକାଣ୍ଡ ପରେ ସହରରେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ କିଛି ବରିଷ୍ଠ ନାଗରିକମାନେ ପୋଲିସ ସହ ରେଗୁଲାର ସମ୍ପର୍କରେ ରହୁଛନ୍ତି । ତେବେ ସହରରେ କିଛି ବରିଷ୍ଠ ନାଗରିକ ଏବେ ବି ସେମାନଙ୍କ ନାମ ପଞ୍ଜିକରଣ କରିନାହାଁନ୍ତି । ସେମାନଙ୍କୁ ଏନେଇ ସଚେତନା କରାଯିବ ବୋଲି କଟକ ଡିସିପି ଅଖିଳେଶ୍ବର ସିଂହ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ