କଟକ: କମିଶନରେଟ ପୋଲିସର ଦାଦାବଟିକୁ ନା ଅଭିଯାନରେ ଆଉ ଜଣେ କୁଖ୍ୟାତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ବୟାଳିଶି ମଉଜା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଦାଦାବଟି ମାଗିବାବେଳେ ଟୁଲିଆ ଓ ତା ଗ୍ୟାଙ୍ଗକୁ ଗିରଫ କରିଛି ବୟାଳିଶି ମଉଜା ଥାନା ପୋଲିସ । ଅଫିସରେ ସବୁ କର୍ମଚାରୀ ରହିଥିଲା ବେଳେ ହଟାତ ଟୁଲିଆ ଓ ତାର ୪ ସାଥି ଅଫିସ ମଧ୍ୟକୁ ପଶି କାଉଣ୍ଟରରେ ମାରଣାସ୍ତ୍ର ଧରି ଧମକ ଦେଇଥିଲେ ଓ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ କ୍ୟାସ ବକ୍ସରୁ ଟଙ୍କା ନେଇଥିଲେ ।
ତେବେ ଏହି ଘଟଣା ଘଟିବା ପରେ ଉକ୍ତ କମ୍ପାନୀର ମାଲିକ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଏହି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଗିରଫ ସମୟରେ ନଗଦ ଟଙ୍କା, ମାରଣାସ୍ତ୍ର, ଏକ ବାଇକ ଜବତ ହୋଇଛି । ତେବେ ଏହି ମାମଲାରେ ଆହୁରି ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଟୁଲିଆ ଭୋଇ, ମୁକେଶ ଭୋଇ, ପିଣ୍ଟୁ ରାଉତ, ସୁଶାନ୍ତ ଭୋଇ ଓ ସୁଧୀର ଆଚାର୍ଯ୍ୟ । ତେବେ ପୂର୍ବରୁ ଏମାନଙ୍କ ନାଁରେ କଟକରେ ବିଭିନ୍ନ ଥାନାରେ ମାମଲା ରହିଛି ।
କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ