କଟକ: ଏକ ଘରୋଇ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରୋଗୀ ଜଣକ 14 ଦିନ ଧରି ଚିକିତ୍ସା ହେଉଥିବା ବେଳେ ଆଜି(ରବିବାର) ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । MBBS ଡାକ୍ତରଙ୍କ ଚିକିତ୍ସା କରିବା ଫଳରେ ରୋଗୀଙ୍କ ମୃତ୍ୟୁ ଘଟିଥିବା ସଂପର୍କୀୟ ଅଭିଯୋଗ କରିଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଅନୁଯାୟୀ, ବାରଙ୍ଗ ଅଞ୍ଚଳର ବିଷ୍ଣୁପ୍ରିୟା ରାଉତ ଅସୁସ୍ଥ ଥିଲେ ଓ ତାଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ୧୪ଦିନ ଧରି ଚିକିତ୍ସା ଚାଲିବା ପରେ ତାଙ୍କର ମୃତ୍ୟୁ ହେବାରୁ ମେଡିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ବିଷ୍ଣୁପ୍ରିୟା ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ନକରି MBBS ଡାକ୍ତରଙ୍କ ଦ୍ବାରା ଚିକିତ୍ସା କରିବା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ପରେ ଘଟଣାସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ବୁଝାସୁଝା ଆରମ୍ଭ କରିଛି । ତେବେ ଅନ୍ୟପଟେ ମେଡିକାଲ ପକ୍ଷରରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ