କଟକ: ହାଡ଼ିଆ ପଠାର ବହୂମୂଲ୍ୟ ସରକାରୀ ଜମିକୁ ଚଞ୍ଚକତା କରି କିପରି ବିକ୍ରି କରାଗଲା ? ସିଏମ୍ସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ୍ର ଜାଲିଆତି କେମିତି ହେଲା ? ଏଭଳି ତମାମ ପ୍ରଶ୍ନକୁ ନେଇ ସିଏମ୍ସି କାଉନ୍ସିଲ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ମେୟର ତଥା କମିଶନରଙ୍କ ଜବାବ ଦାବି କରି ହୋହଲ୍ଲା କରିଛନ୍ତି ବିରୋଧୀ କର୍ପୋରେଟର । ସେପଟେ ସିଏମ୍ସିର ଏଥିରେ କୌଣସି ଭୂମିକା ନଥିବା ସ୍ପଷ୍ଟୋକ୍ତି ରଖିଲେ ମେୟର ସୁବାଷ ସିଂ ।
ଜମି ମାଫିଆମାନେ ଏକ ବିରାଟ ଷଡ଼ଯନ୍ତ୍ର କରି ହାଡିଆ ପଠାର ସରକାରୀ ଜମିକୁ ହାତେଇବା ପାଇଁ ଉଦ୍ୟମ କରିଛନ୍ତି । ହାଡ଼ିଆ ପଠାର ଶହେ ସରକାରୀ ଜମିକୁ ଲିଜ୍ରେ ନେଇ ପରେ ଏହି ଜମିକୁ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ବନ୍ଧକ ରଖି ୫ କୋଟି ଟଙ୍କା ଋଣ କରିଛନ୍ତି । ତେବେ ସିଏମ୍ସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ୍ର ଜାଲିଆତି କାରି ଏହା କରାଯାଇଥିବାବେଳେ ଏଥିରେ ସିଏମ୍ସିର କିଛି ଅସାଧୁ କର୍ମଚାରୀ ଓ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳର କର୍ପୋରେଟର । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତ ନୁହେଁ, ବରଂ ଏସ୍ଆଇଟି କିମ୍ବା ସିବିଆଇ ଦ୍ବାରା ଏହାର ତଦନ୍ତ କରିବାକୁ ଦାବି ହୋଇଛି । ସେପଟେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ସିଏମ୍ସି କାର୍ଯ୍ୟାଳୟରୁ ଅନନ୍ୟା ଦାସଙ୍କ ମୂଳ ଦସ୍ତଖତ ଓ ସିଲ୍ର ନକଲ ସଂଗ୍ରହ କରି ନେଇଛି । ଜାଲ୍ ଦସ୍ତଖତ ଓ ସିଲ୍ ସହିତ ସେଗୁଡ଼ିକୁ ମେଳ କରିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ସିଏମସି ଜମି ଦୁର୍ନୀତି ଘଟଣା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ
କଟକ ହାଡ଼ିଆ ପଠାର ଶହେ ଏକର ସରକାରୀ ଜମି ଜାଲିଆତି ଘଟଣାର ତଦନ୍ତ ଜାରି ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର କର୍ପୋରେଟରମାନେ ଆଜି ସିଏମ୍ସି ମେୟରଙ୍କୁ ଘେରିଛନ୍ତି । ହାଡ଼ିଆ ପଠାର ବହୂମୂଲ୍ୟ ଜମିକୁ କିପରି ଚଞ୍ଚକତା କରି ବିକ୍ରି କରାଗଲା ଏବଂ ସିଏମ୍ସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ୍ ଜାଲିଆତି କରି ଏହି ଚଞ୍ଚକତା କରାଗଲା ଏହାର ଜବାବ ମାଗିଛନ୍ତି ବିରୋଧୀ । ଆଜି ସିଏମ୍ସିର କାଉନ୍ସିଲ୍ ବୈଠକରେ ଅନ୍ୟ ପ୍ରସଙ୍ଗ ସହ ହାଡ଼ିଆ ପଠା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ଗୃହରେ ଜୋରଦାର ହଟ୍ଟଗୋଳ ହୋଇଥିଲା । ଏହି ଜମି କେଳେଙ୍କାରୀରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ କରି ଏହାର ଏସ୍ଆଇଟି କିମ୍ବା ସିବିଆଇ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ କର୍ପୋରେଟର । ସେପଟେ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ସିଏମ୍ସି ମେୟର । ସେ କହିଛନ୍ତି, "ହାଡ଼ିଆ ପଠାରେ ଥିବା ଜମି ରାଜ୍ୟ ସରକାରଙ୍କର । ସେହି ଜମି ବାବଦ ସମସ୍ତ ପ୍ରକାର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ କେହି ନେଇପାରିବେ ନାହିଁ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ୍କୁ ଜାଲ କରି ଏହି କାଣ୍ଡ ଭିଆଇଛନ୍ତି । କିନ୍ତୁ ଏଥିରେ ସିଏମ୍ସିର କୌଣସି ଭୁମିକା ନଥିବା ମେୟର ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, କଟକ