କଟକ: ପର୍ଯ୍ୟଟନର କେନ୍ଦ୍ର ବିନ୍ଦୁ ସାଜିବ କଟକର ତାଳଦଣ୍ଡା କେନାଲ । କେନାଲ ପାର୍ଶ୍ଵରେ ଖୋଲିବ ସ୍ୱତନ୍ତ୍ର ପାର୍କ । ପାର୍କ ସହ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟର ମଜା ନେବେ ପର୍ଯ୍ୟଟକ । ଏହା ସାଙ୍ଗକୁ ପାଣିରେ ଭଳିକି ଭଳି ବୋଟ ଭ୍ରମଣର ମଜା ନେବେ ଦର୍ଶକ । ତେବେ ଏହି ତମାମ ଯୋଜନାର କାର୍ଯ୍ୟ ତ୍ୱରିତ ଡ଼ଙ୍ଗରେ ସମ୍ପାଦିତ କରୁଛି OTDC । ଏନେଇ ଗତକାଲି ଓଟିଡିସି ନିର୍ଦ୍ଦେଶକ ସଚିନ ଯାଦବ ତାଳଦଣ୍ଡା କେନାଲ ଗସ୍ତ କରି ଏହି ତମାମ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟର ମାନ ପରଖିବା ସହ ଏହି ଯୋଜନାକୁ ଶୀଘ୍ର ସାରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଏହି ପର୍ଯ୍ୟଟନ ସ୍ଥଳରେ ରହିବ ବିଭିନ୍ନ ମନୋରମ ଦୃଶ୍ୟ । ଯେପରି ଦେଶ ବିଦେଶର ଫୁଲ, ଫୁଡ଼୍ କୋଟ, ବିଶ୍ରାମ ସ୍ଥଳ,ଏପରିକି ଜିମର ମଧ୍ୟ ବ୍ୟବସ୍ଥା ରହିଛି ।
କେବଳ କଟକ ବାସୀ ନୁହେଁ ବରଂ ରାଜ୍ୟର କୋଣ ଅନୁକୋଣରୁ କଟକ ଆସୁଥିବା ଦର୍ଶକ ଏହାର ମଜା ଉଠାଇ ପାରିବେ । ବର୍ତ୍ତମାନ ସମୟରେ କାର୍ଯ୍ୟ ଅଧାରୁ ଅଧିକ ଶେଷ ହୋଇଛି । ମାର୍ଚ୍ଚ ସୁଦ୍ଧା ଏହି ପର୍ଯ୍ୟଟନ ସ୍ଥଳ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ଶେଷ ହେବ । ସେହିପରି ଓଟିଡିସି ଅଧିନରେ ଥିବା ସିଲଭରସିଟି ବୋଟ କ୍ଲବର ମଧ୍ୟ ପୁନଃ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ସମୟରେ କଟକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେଉଁଥିରେ ଅନେକ ଯୋଜନା ମାନ ରହିଛି । ତେବେ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ତାଳଦଣ୍ଡା କେନାଲର ନୂଆ ରୂପ ଦେଇ ସାରିଛନ୍ତି ମୁଖ୍ୟମନ୍ତ୍ରୀ । କେନାଲରେ ବିଦେଶୀ ଟେକ୍ନୋଲୋଜିରେ ୱାଲ ନିର୍ମାଣ , ସୌନ୍ଦର୍ଯ୍ୟକରଣ ହେତୁ ଆଲୋକୀକରଣ । ଏହାସହ କେନାଲ ଉପରେ ଦୁଇଟି ସେତୁ ନିର୍ମାଣ କରିବା ।
ଏହି କାର୍ଯ୍ୟକୁ ନେଇ ବେଶ ଆନନ୍ଦିତ କଟକବାସୀ । ଆଗାମୀ ଦିନରେ କେନାଲର ଏହି ସ୍ଥଳ ନିଶ୍ଚୟ ଓଡିଶା ବାସୀଙ୍କ ପସନ୍ଦର କେନ୍ଦ୍ର ବିନ୍ଦୁ ପାଲଟିବ । ପୂର୍ବରୁ ଯେଉଁ କେନାଲ ପାର୍ଶ୍ବରେ ସଂକୀର୍ଣ୍ଣ ରାସ୍ତା ରହିଥିଲା ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପରିଵର୍ତନ ହୋଇସାରିଛି । କେନାଲ ରୋଡ଼ ଏସିବି ମେଡିକାଲକୁ ସଂଯୋଗୀକରଣ କରୁଥିବାରୁ ପୂର୍ବରୁ ଆମ୍ବଲାନ୍ସ ଯିବା ଆସିବାରେ ଅନେକ ଅସୁବିଧା ପରିଲିଖିତ ହେଉଥିଲା ।ଯାହାର କାରଣ କେବଳ ସଂକୀର୍ଣ୍ଣ ରାସ୍ତା । ତେବେ ବର୍ତ୍ତମାନ ସମୟରେ ତାଳଦଣ୍ଡା କେନାଲ ଦୃଶ୍ୟ ବଦଳି ସାରିଛି । ଆଉ ମାର୍ଚ୍ଚ ସୁଦ୍ଧା ପର୍ଯ୍ୟଟକଙ୍କ କେନ୍ଦ୍ରବିନ୍ଦୁ ପାଲଟିବ କଟକ ତାଳଦଣ୍ଡା କେନାଲ ।