କଟକ: ମାର୍ଚ୍ଚ 2ରେ ଶେଷ ହୋଇଥିଲା ଚଳିତବର୍ଷର ମାଟ୍ରିକ ପରୀକ୍ଷା । ଆଉ ମାର୍ଚ୍ଚ 18ରୁ ଆରମ୍ଭ ହୋଇଥିଲା ଖାତାଦେଖା ପ୍ରକ୍ରିୟା । ତେବେ ସଠିକ ସମୟରେ ଖାତା ଦେଖା ସରିବା ବୋଲି ଆଶା କରାଯାଉଥିଲା । ଆଉ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଥିଲେ ରେଜଲ୍ଟକୁ । ହେଲେ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି ଏ ପିଲାଙ୍କ ଭବିଷ୍ୟତ । ସବୁକିଛି ଓଲଟ ପାଲଟ କରିଦେଇଛି କୋରୋନା ଭାଇରସ । ଯେଉଁ ସମୟରେ ଖାତା ଦେଖା ସରିବା କଥା, ସେ ସମୟରେ ଖାତା ଦେଖା ଆରମ୍ଭ ମଧ୍ୟ ହୋଇନାହିଁ ।
ଏପରିକି ଅନିର୍ଦ୍ଧିଷ୍ଟ କାଳ ପାଇଁ ଖାତା ଦେଖା ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ସେପଟେ ଛାତ୍ରଛାତ୍ରୀମାନେ ପରୀକ୍ଷା ଶେଷ ହେବା ପରେ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିଲେ । ଏପରିକି ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେଇ ନୂଆ କ୍ୟାରିଅର ଆରମ୍ଭ କରିଥାନ୍ତେ। ହେଲେ ଏବେ ନିଜର ବହୁମୂଲ୍ୟ ସମୟକୁ ଘରେ ବସି ଅପଚୟ କରୁଛନ୍ତି ।
ଅନ୍ୟପଟେ, ଛାତ୍ରଛାତ୍ରୀଙ୍କୁ ଘରେ ବସି ଅନଲାଇନରେ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ । ସେହିପରି ପରୀକ୍ଷା ଋତୁରେ କୋରୋନା ପ୍ରବେଶ କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛି । ଠିକ ଯେମିତି ଯୁକ୍ତ 2 ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଧ୍ୟ ଶେଷ ହୋଇନାହିଁ । ତେବେ ସରକାର ଏଥିପ୍ରତି ଅଧିକ ଯତ୍ନବାନ ହେବା ସହ ନୂଆ ବାଟ ଖୋଜିବା ନିହାତି ଆବଶ୍ୟକ ହୋଇପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ