କଟକ: ଆଡମିଟକାର୍ଡ(admit card) ହଜାଇ ଦେବା କାରଣରୁ ଓଡିଆ ସମିଟିଭ୍ ପରୀକ୍ଷାରୁ(10th class summative examination) ବଞ୍ଚିତ ହେଲେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ । ଅଭିଭାବକ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅନୁରୋଧ ସତ୍ତ୍ବେ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଅନୁମତି ଦେଇ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଆଉ ଥରେ ପରୀକ୍ଷା ପାଇଁ ଅନୁମତି ମିଳୁ ବୋଲି ଦାବି କରିଛନ୍ତି ପରିବାର ।
ବାଦାମବାଡି ନ୍ୟୁ କଲୋନୀ ହାଇସ୍କୁଲର ଛାତ୍ର ହେଉଛନ୍ତି ଦୀପକ ମହାନ୍ତି । ମାଟ୍ରିକ ସମିଟିଭ ପରୀକ୍ଷା ଦେବାକୁ ରାଣୀହାଟ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ବାଟରେ ଆଡମିଟ କାର୍ଡ ହଜାଇ ଦେଇଥିଲେ ଦୀପକ। ଫଳରେ ପରୀକ୍ଷା କେନ୍ଦ୍ରରେ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇନଥିଲା । ଅଭିଭାବକ ଓ ଉପସ୍ଥିତ ଲୋକଙ୍କ ଅନୁରୋଧ କରିବା ସତ୍ତ୍ବେ ପ୍ରଧାନ ଶିକ୍ଷୟତ୍ରୀ ଦୀପକକୁ ସୁଯୋଗ ଦେଇ ନ ଥିଲେ। ପରେ ବାପା ସ୍କୁଲରୁ ଏକ ଲେଖା ନେଇ ଗଲେ ସୁଦ୍ଧା ତାକୁ ଗ୍ରହଣ କରାଯାଇ ନଥିଲା ।
ଏପରିକି ସାହିତ୍ୟ ପରୀକ୍ଷା ପୂର୍ବରୁ ଦୀପକକୁ ସ୍କୁଲ ଗେଟ ବାହାରକୁ ବାହାର କରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ବାକି ସବୁ ପରୀକ୍ଷା ଦୀପକ ଦେଇଥିଲେ ସୁଦ୍ଧା ପ୍ରଥମ ଓଡିଆ ପରୀକ୍ଷା ନ ଦେବା ଘଟଣା ତାକୁ ଓ ପରିବାରକୁ ଚିନ୍ତାରେ ପକାଇଛି । ଏନେଇ ବୋର୍ଡ ଆଉ ଏକ ସୁଯୋଗ ଦୀପକକୁ ଦେଉ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ