କଟକ: ଶାସକ ବିଜୁ ଜନତା ଦଳ ରାଜ୍ୟ ଶାସନ ଭାର ଗ୍ରହଣ କରିବାର ମାର୍ଚ୍ଚ 5କୁ ପୁରିଛି 20 ବର୍ଷ । ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି ।
ଏହି ଅବସରରେ କଟକ ବାଲିଯାତ୍ରା ପଡିଆରେ ରାଜ୍ୟ ସରକାର ଏକ ବିଶାଳ ସମାବେଶ ଆୟୋଜନ କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ ବିଧାୟକ, ସାଂସଦ ଓ ନିଜେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ 50 ହଜାରରୁ ଅଧିକ ଜନ ସାଧାରଣ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ସାଢେ 4 କୋଟି ଓଡିଆ ମୋ ପରିବାର । ଏହାସହ ବିଜୁ ବାବୁଙ୍କ ଜନ୍ମଭୂମି ନିକଟରେ ମୁଁ ଋଣୀ ବୋଲି କହିଥିଲେ ।
ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଅଧିକାଶଂ ମନ୍ତ୍ରୀ, ବିଜେଡିର ଅନେକ ତୁଙ୍ଗ ନେତା ଓ ବିଧାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଏହି ୨୦ ବର୍ଷର ଯାତ୍ରା ଏବଂ ଏହି ଯାତ୍ରାରେ ସରକାର ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଜନହିତକାରୀ ଯୋଜନା ଲୋକଙ୍କୁ ଅବଗତ କରାଇଥିଲେ ।
ପରେ ମୁଖ୍ୟମନ୍ତ୍ରୀ କଟକ ବଡ ମେଡିକାଲକୁ ଏକ ବିଶ୍ବସ୍ତରୀୟ ମେଡିକାଲରେ ପରିଣତ କରିବା ପାଇଁ ଘୋଷଣା କରିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଲୋକକଳା ପରିବେଷଣ ହୋଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ