କଟକ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ୩୬ ଘଣ୍ଟା ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜି । ତେବେ ରାଜ୍ୟରେ ପୂର୍ବରୁ ଘଟିଥିବା ଅନ୍ୟ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ସବୁଠାରୁ ବଡ଼ ଅପରେସନ । ପାଖାପାଖି ୩୬ ଘଣ୍ଟା ପରେ ସଫଳତାର ସହ ନିଆଁକୁ ଆୟତ୍ତ କରାଯାଇଥିବା ଡିଜି କହିଛନ୍ତି । ସେହିପରି ନିଆଁ ଲିଭା କାର୍ଯ୍ୟରେ ୧୬୦ ଅଗ୍ନିଶମ କର୍ମଚାରୀ, ୧୨ ଟି ଦମକଳ ଟିମ୍ ଓ ଗୋଟିଏ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହୋଇଥିଲେ ।
ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ବେଳେ ସମ୍ପୃକ୍ତ ହୋଟେଲର ଇଣ୍ଟରିଅରରେ ଅତ୍ୟଧିକ ଜ୍ଵଳନଶୀଳ ପଦାର୍ଥ ବ୍ୟବହାର ହେବା ଯୋଗୁଁ ଚାରିଆଡେ ନିଆଁ ବ୍ୟାପିଥିଲା । ତେବେ ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରିବ ଏହି ଟିମ । ଏଥିସହ ଏହି ଅପରେସନ ପାଇଁ ଅଗ୍ନିଶମ ବିଭାଗକୁ ଅନେକ ଚାଲେଞ୍ଜ ସୃଷ୍ଟି କରିଥିଲା । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ବଡ ବଡ ବିଲ୍ଡିଂର ଅଗ୍ନି ନିରାପତ୍ତା ନେଇ ପୁଣି ଥରେ ଅଡିଟ କରାଯିବା ସହ ଜନ ସଚେତନତାକୁ ଆହୁରି ବ୍ୟାପକ କରାଯିବ ବୋଲି ଡିଜି କହିଛନ୍ତି ।
ସୂଚନା ମୁତାବକ, ଗତ 8 ତାରିଖ ଦିନ ରାତି 8ଟାରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ଏନେଇ ଖବର ପାଇ ସଙ୍ଗେସଙ୍ଗେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ୧୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଏହାକୁ ଆୟତ୍ତ କରିବା ପାଇଁ ନାକେଦାମ ହୋଇ ପଡ଼ିଥିଲା । ଫଳରେ ବୁଧବାର ରାତିରୁ 2 ଦିନ ପର୍ଯ୍ୟନ୍ତ ନିଆଁ ଜଳୁଥିଲା । ତେଣୁ ଭୁବନେଶ୍ବରରୁ ଅଗ୍ନିଶମ ବାହିନୀର ଏକ୍ସପର୍ଟ ଟିମ୍ ଆସି ପହଞ୍ଚିଥିଲା । ହେଲେ ଅଗ୍ନିକାଣ୍ଡକୁ ଆୟତ୍ତ ନ କରିପାରିବାର ମୁଖ୍ୟ କାରଣ ଅଣଓସାରିଆ ରାସ୍ତା ବୋଲି କୁହାଯାଇଛି । କାରଣ ଏହି ରାସ୍ତା ଦେଇ ଅଗ୍ନିଶମ ବାହିନୀ ମାର୍କେଟ କମ୍ପ୍ଲେକ୍ସ ଭିତରେ ପହଞ୍ଚିବା କଷ୍ଟକର ହୋଇପଡିଥିଲା। ଯେଉଁ କାରଣରୁ ନିଆଁ ତଳ ମହଲାରୁ ଉପର ମହଲାରେ ଥିବା ଅନ୍ୟାନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ଭିତରୁ ପ୍ରଚୁର ମାତ୍ରାରେ ଧୂଆଁ ବାହାରୁଥିବାରୁ ଭିତରକୁ ପଶିବାକୁ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା ।
ତେବେ ପ୍ରଥମେ ତଳ ମହଲାରେ ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିଲା । ପରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ଦୋକାନ, ଚପଲ, ପ୍ଲାଷ୍ଟିକ ଦୋକାନକୁ ବ୍ୟାପିଥିଲା । ଏହି ଅଗ୍ନିକାଣ୍ଡରେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା ପରେ ସେ ପୁରା ଠିକ୍ ଥିବା ଜଣାପଡିଛି । ପୁରୀ ଏସ୍ପି ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ । ସେହିପରି ଅନ୍ୟପଟେ ବଡଦାଣ୍ଡରେ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତମାନେ ଯେଭଳି କୌଣସି ଅସୁବିଧା ନଭୋଗନ୍ତି ସେନେଇ ସ୍ବତନ୍ତ୍ର ଟ୍ରାଫିକ ବ୍ୟାବସ୍ଥା ଗ୍ରହଣ କରାଯାଇଥିଲା । ଅଗ୍ନିଶମ ବାହିନୀ ଗାଡ଼ି ଭଲ ଭାବେ ଚଳପ୍ରଚଳ କରିବା ପାଇଁ ମାର୍କେଟ ଛକରୁ ସମସ୍ତ ଗାଡି ପ୍ରବେଶ ନିଷେଧ କରାଯାଇଥିଲା । ହୋଲିରେ ସବୁ ଦୋକାନ ବନ୍ଦ ଥିବାରୁ ଏକ ବଡ ଅଘଟଣ ଟଳି ଯାଇଥିବା କୁହାଯାଉଛି । ସାଧାରଣତଃ ଦିନ ବେଳା ଅଗ୍ନିକାଣ୍ଡ ଘଟିଥିଲେ ବ୍ୟାପକ ଧନଜୀବନ ହାନି ହେବାର ଆଶଙ୍କା ରହିଥିଲା ।
ପ୍ରକାଶଥାଉ କି, ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଗୋଟିଏ ପ୍ରବେଶ ଦ୍ବାର ଓ ସେହିବାଟେ ହିଁ ପ୍ରସ୍ଥାନ ଦ୍ବାର ରହିଛି । ଯାହାକି ଅତି ସଂକୀର୍ଣ୍ଣ । କମ୍ଲେକ୍ସର ଚାରିପଟେ ଖାଲି ଜାଗା ନାହିଁ । ନିଜର ପାର୍କିଂ ବ୍ୟବସ୍ଥା ମଧ୍ୟ ନାହିଁ । ସବୁ ମାର୍କେଟ କମ୍ପ୍ଲେକ୍ସରେ ଏକାଧିକ ପ୍ରବେଶ ପ୍ରସ୍ଥାନ ଦ୍ବାର ସହ ନିଜର ପାର୍କିଂ ବ୍ୟବସ୍ଥା ପାଇଁ ନିୟମ ରହିଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ତେଣୁ ଏହି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସକୁ କିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟିକ ଅନୁମତି ପ୍ରଦାନ କରାଗଲା ସେନେଇ ପ୍ରଶ୍ନ ଉଠିଛି । ଏହା ପଛରେ ପ୍ରଶାସନର କିଛି ବଡ ଅଧିକାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ପୁରୀ ସହରରେ ଥିବା ଏହିଭଳି ବେଆଇନ ସପିଂ କମ୍ପ୍ଲେକ୍ସ ବିରୋଧରେ କଡା ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।
ଇଟିଭି ଭାରତ, କଟକ