କଟକ : ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ଅଭିଯୋଗ । ଅଚାନକ ରେଡ୍ କଲା କଟକ ମହାନଗର ନିଗମ । କଟକ ସହରର ବିଭିନ୍ନ ଗୁପଚୁପ୍ ବେପାରୀଙ୍କ ସ୍ଥାନରେ ସିଏମସି ଟିମ୍ ଚଢ଼ାଉ କରିଛି । କଟକ ସହରର ନାକେଇପଡ଼ିଆରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ସିଏମସି ଅଚାନକ ରେଡ୍ କରିଛି । ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ କଟକ ସହରର ଅନେକ ସ୍ଥାନରେ ତିଆରି ହେଉଛି ଗୁପଚୁପ୍ ।
ଗତକାଲି ଅପମିଶ୍ରିତ ମୃଦୁ ପାନୀୟ କମ୍ପାନୀ ଉପରେ ଚଢ଼ାଉ ପରେ ଆଜି ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରାଯାଉଥିବା ଗୁପଚୁପ ଦୋକାନ ଉପରେ ଚଢ଼ାଉ କରିଛି ସିଏମସି । ଚଢ଼ାଉ ସମୟରେ ଗୁପଚୁପ ଏବଂ ଅନ୍ୟାନ୍ୟ ତିଆରି ସାମଗ୍ରୀକୁ ନଷ୍ଟ କରିଛି ସିଏମସି ଖାଦ୍ୟ ସୁରକ୍ଷା ଟିମ । ଅନ୍ୟପଟେ ସିଏମସି ପକ୍ଷରୁ କରାଯାଇଥିବା ଡମ୍ପିଙ୍ଗ ୱାର୍ଡକୁ ନେଇ ଏହି ତମାମ ଅସୁବିଧା ହେଉଥିବା କହିଛନ୍ତି ଗୁପଚୁପ ପ୍ରସ୍ତୁତକାରୀ ।
କେବଳ ଆକ୍ରୋଶ ମୂଳକ ଭାବେ ଏହା କରୁଛି କଟକ ମହାନଗର ନିଗମ । ଯାହାଦ୍ୱାରା ଆମର ଅନେକ ପରିମାଣରେ କ୍ଷତି ହେଉଥିବା କହିଛନ୍ତି ଗୁପଚୁପ ବ୍ୟବସାୟୀ । ଯାଞ୍ଚ ପରେ ପ୍ରସ୍ତୁତ ଗୁପଚୁପ, ନିମ୍ନମାନର ଜଣାପଡିବା ପରେ ସିଏମସି କର୍ମଚାରୀ ଏହାକୁ ଗାଡିରେ ଭରି ନେଇ ଯାଇଛନ୍ତି । କେବଳ ସହରର ବିଭିନ୍ନ ବଜାର ନୁହେଁ ଵଂର ବାହାଘର ବ୍ରତଘର ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଏମାନେ ଲଗାଇଥାନ୍ତି ଗୁପଚୁପ ଠେଲା । ତେବେ ସିଏମସି ଏହି ସବୁ ସ୍ଥାନରେ କେବେ ନଜର ଦେବ ତାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଠିଛି ପ୍ରଶ୍ନ ।
ଇଟିଭି ଭାରତ, କଟକ