କଟକ: ପୁରୀ ହାଜର ମୃତ୍ୟୁ ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ନବନିଯୁକ୍ତ ପୁରୀ ଏସପି । ହାଜତ ମୃତ୍ୟୁ ନୁହେଁ ବରଂ ଖସିପଡି ମୁଣ୍ଡରେ ମାଡ଼ ହେବାରୁ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ରିପୋର୍ଟରେ ଅଦାଲତଙ୍କୁ ଦର୍ଶାଯାଇଛି ।
ଅନ୍ୟପଟେ ମୃତକଙ୍କ ବାପା ମା ଙ୍କୁ ଖୋଜି ଠାବ କରିବା ସହ ସେମାନଙ୍କୁ ତୁରନ୍ତ ପ୍ରାରମ୍ଭିକ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏନଏଚଆରସି ଗାଇଡ଼ଲାଇନ କଣ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଅଦାଲତରେ ତଥ୍ୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏହାସହ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଇବାକୁ ପୁରୀ ଜିଲ୍ଲାଜଜଙ୍କୁ ଏସପି ନିବେଦନ କରିଥିବା ମଧ୍ୟ ଦାଖଲ କରାଯାଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । ଏସପି ଦାଖଲ କରିଥିବା ଜବାବର ପ୍ରତିଜବାଵ ଦାଖଲ କରିବାକୁ ଆବେଦନକାରୀଙ୍କୁ ମଧ୍ୟ କୋର୍ଟ ତରଫରୁ କୁହାଯାଇଛି ।
ପୁରୀର ଆଇନଜୀବୀ ଶରତ କୁମାର ରାୟ ଗୁରୁଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପାର୍ଥନା କରିଥିଲେ ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ଘଟଣାରେ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ