କଟକ: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଗସ୍ତର ଦ୍ବିତୀୟ ଦିନ ବା ୧୧ ତାରିଖରେ କଟକ ଗସ୍ତ କରିବେ । ସେ ବିଦ୍ୟାଧାରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ(NRRI) ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିବେ । ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ ।
ଏହି ବିଶାଳ ବିଜ୍ଞାନ ସମ୍ମିଳନୀରେ ଦେଶ ଓ ବିଦେଶରୁ ୩୫୦ରୁ ଅଧିକ କୃଷି ବୈଜ୍ଞାନିକ ସାମିଲ ହେବେ । ତେବେ ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସର ବିଷୟବସ୍ତୁ ହେଉଛି ଧାନ ଅନୁସନ୍ଧାନର ପରିବର୍ତ୍ତନ ଓ ବର୍ତ୍ତମାନ ବୈଜ୍ଞାନିକ ବିକାଶ ଓ ବିଶ୍ୱ ଖାଦ୍ୟ ସଙ୍କଟ । ଏହି କାର୍ଯ୍ୟକ୍ରମ ୪ ଦିନ ବ୍ୟାପି NRRIରେ ଅନୁଷ୍ଠିତ ହେବ । ଏହାର ମୁଖ୍ୟ ପ୍ରସଙ୍ଗ ଜାତୀୟ ଖାଦ୍ୟ ନିରାପତ୍ତା, ବିଶ୍ୱ ଖାଦ୍ୟ ସଙ୍କଟ, ପରିବର୍ତ୍ତନଶୀଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଭାରତର ଧାନ କିସମର ବିକାଶ ତଥା ଚାଷ ପାଇଁ ଆଧୁନିକ ବିଜ୍ଞାନକୁ ଅନ୍ତର୍ଭୁକ୍ତ କରିବା ।
ଏହାଛଡା ଧାନ ଗବେଷଣା ଏବଂ ବିକାଶର ସମସ୍ତ ଦିଗ ବିସ୍ତୃତ ଭାବରେ ସମ୍ମିଳନୀରେ ଆଲୋଚନା କରାଯିବ । ଉନ୍ନତ ଧାନ କିସମର ବିକାଶ, ଧାନ ଉତ୍ପାଦନ ପ୍ରଣାଳୀରେ ନିରନ୍ତର ପରିଚାଳନା, ଧାନ ଚାଷରେ ରୋଗ ଏବଂ କୀଟନାଶକ ପରିଚାଳନା ଓ ଧାନ ଚାଷର ଆଧୁନିକତାର ଦିଗ ଉପରେ ମଧ୍ୟ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ ଯେଉଁ ବୈଜ୍ଞାନିକମାନେ ଯୋଗଦେବେ ସେମାନଙ୍କ ଅଭିଜ୍ଞତା ଅନୁସନ୍ଧାନ, ନୂତନ ଚିନ୍ତାଧାରା ଉପରେ ଆଲୋକପାତ କରିବେ ।
ଏହାମଧ୍ୟ ପଢନ୍ତୁ: ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି, ମାମଲାର ଶୁଣାଣି ପାଇଁ ମନାକଲେ ହାଇକୋର୍ଟ
ଏହାସହ ଦେଶର କୋଣ ଅନୁକୋଣରୁ ଆସିଥିବା ବିଦ୍ୟାର୍ଥୀମାନେ ସେମାନଙ୍କର ଅନୁସନ୍ଧାନକୁ ଉପସ୍ଥାପନ କରିବେ । ପ୍ରତି ଦୁଇ ବର୍ଷ ବ୍ୟବଧାନରେ ARRW ଓ NRRI ଭାରତୀୟ ଧାନ କଂଗ୍ରେସର ଆୟୋଜନ କରିଥାନ୍ତି । ତେବେ ଏହି ସମ୍ମିଳନୀକୁ ଆଉ ଦୁଇ ଦିନ କିଛି ଦିନ ବାକି ଥିଲା ବେଳେ NRRIରେ ସମସ୍ତ ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଥିବା କହିଛନ୍ତି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ ।
ଇଟିଭି ଭାରତ, କଟକ