କଟକ: ମାହାଙ୍ଗା କୁଶୁପୁର ବିଭତ୍ସ ହତ୍ୟାକାଣ୍ଡ ମାମଲା । ହସ୍ତଗତ ହୋଇଛି ଅଭିଯୁକ୍ତ ଶିବ ସାହୁର ମୋବାଇଲ କଲ ଡିଟେଲସ । CDR ପାଇବା ପରେ ଏହାକୁ ମାହାଙ୍ଗା ପୋଲିସ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।
ଏହି ଘଟଣାରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ସେଥିପାଇଁ ଅଭିଯୁକ୍ତ ଶିବ ସହିତ ଏକାଧିକ ଲୋକଙ୍କ CDR ମଗାଇଛି ପୋଲିସ । ଜଣେ ବ୍ୟକ୍ତି ଗୋଟିଏ ପରିବାରରେ ୫ ଜଣଙ୍କୁ କିପରି ହତ୍ୟା କରିଲା, ତାକୁ କେହି ସହାୟତା କରିଥିଲେ କି ଏଭଳି ତମାମ ପ୍ରସଙ୍ଗ ଉପରେ ଘଟଣାର ଖୋଲତାଡ କରୁଛି ପୋଲିସ । ସମସ୍ତ ତଥ୍ୟ ହାସଲ କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରି କୋର୍ଟରେ ଦାଖଲ କରିବ ପୋଲିସ ।
ତେବେ ସୂଚନା ଥାଉକି ଅଭିଯୁକ୍ତ ଶିବ ସାହୁ ତା ନିଜ ବଡ଼ ଭାଇ ସମେତ ପରିବାର ଅନ୍ୟ ୪ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲା । ଏହାପରେ ଭିଡିଓ ଜାରି କରି ନିଜର ଦୋଷ ସ୍ବୀକାର କରିବା ସହ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ଏହାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ସମସ୍ତ ମୃତଦେହର ଏକାଠି ଅନ୍ତିମ ସଂସ୍କାର କରିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ