ନିଆଳି: ଦିନକୁ ଦିନ ଓଡ଼ିଶାରେ ସରକାରୀ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆକ୍ରମଣ ବୃଦ୍ଧି ପାଉଛି । କେତେବେଳେ ତହସିଲଦାରଙ୍କୁ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରୁଛନ୍ତି ତ କେତେ ବେଳେ ଆରଆଇଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ଅସାମାଜିକ ବ୍ୟକ୍ତି । ସେପଟେ ଏହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠିଛି ।
କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଆସିଛି ସାମ୍ନାକୁ । ସରକାରୀ କର୍ମଚାରୀଙ୍କୁ ମାଡ ମରାଯାଇଥିବା ନେଇ ମାମଲା ପହଞ୍ଚିଛି ଥାନାରେ । ପୋଲିସ ମାମଲା ରୁଜୁ କରିଛି ସତ କିନ୍ତୁ ଘଟଣାକୁ ଚାରିଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ ହେଉଛି ।
ଅଧିକ ପଢ଼ନ୍ତୁ: RathaKhala Halchal: ୩ ରଥର ଚାଲିଛି ଚଉଦ ନାହାକ ଓ ଚାରି ନାହାକା ନିର୍ମାଣ କାର୍ଯ୍ୟ
ଗୋବିନ୍ଦପୁର ଥାନାରେ ହୋଇଥିବା ମାମଲା ଅନୁସାରେ, କଟକ ଜିଲ୍ଲା କଣ୍ଟାପଡା ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦୀଲ୍ଲିପ କୁମାର ରାଉଳ ଗତ ୧୮ ତାରିଖ ପ୍ରାଇମେରୀ ସ୍କୁଲର କାର୍ଯ୍ୟ ତଦାରଖ ନିମନ୍ତେ ଯାଇଥିଲେ । କାର୍ଯ୍ୟ ସାରି ଫେରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜୈନିକ ଏକ ବ୍ୟକ୍ତିଙ୍କ ସହ ସ୍କୁଲ କାର୍ଯ୍ୟକୁ ନେଇ ବଚସା ହୋଇଥିଲା । ବ୍ୟକ୍ତି ଜଣଙ୍କ ଉତକ୍ଷିପ୍ତ ହୋଇ କନିଷ୍ଠ ଯନ୍ତ୍ରୀ ଦୀଲ୍ଲିପଙ୍କୁ ମରଣାନ୍ତକ ଆକ୍ରମଣ କିରିଥିଲା । ବ୍ୟକ୍ତିଙ୍କ ଦୀଲ୍ଲିପଙ୍କୁ ମାଡ ମରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସୌଭାଗ୍ୟ ବଶତଃ ଖସି ପଳାଇ ଆସିଥିଲେ । ଏ ସମ୍ପର୍କରେ କଣ୍ଟାପଡ଼ା ବ୍ଲକ ବିଡିଓ, କଟକ ଜିଲ୍ଲାପାଳ ଏବଂ ଗୋବିନ୍ଦପୁର ଥାନାରେ ଏତଲା ଦେଇଥିଲେ । ଘଟଣାକୁ ୪ ଦି ବିତି ଯାଇଥିଲେ ସୁଦ୍ଧା ପୋଲିସ ଏଯାଏଁ ଅଭିଯୁକ୍ତକୁ ଗିରଫ କରୁନଥିବା ଅଭିଯୋଗ ହୋଇଛି ।
କନିଷ୍ଠ ଯନ୍ତ୍ରୀ ଦୀଲ୍ଲିପ କୁମାର ରାଉଳ କହିଛନ୍ତି, "ଘଟଣାକୁ 4 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ଆଜିଠାରୁ ବ୍ଲକର କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ କଣ୍ଟାପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ନକାରାଗଲେ କାର୍ଯ୍ୟବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ।" ସେପଟେ କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ଜୀନା ଭୋଇ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହିତ ତୁରନ୍ତ ଏହି ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ନିଆଳି