କଟକ: 108 ଓଏମଆର ସିଟ ଗାଏବ ଘଟଣାରେ ନିଷ୍ପତ୍ତି ନେବ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କମିଟି । ମାଟ୍ରିକ ପରୀକ୍ଷା ସରିବା ପରେ ବୈଠକ ଡକାଇ ପଦକ୍ଷେପ ନେବ କମିଟି । ତେବେ ପୋଲିସର ରିପୋର୍ଟ ଆସିବା ପରେ କମିଟି ପରବର୍ତ୍ତୀ କାର୍ଯ୍ୟାପନ୍ଥା ଗ୍ରହଣ କରିବ ବୋଲି ବୋର୍ଡ଼ ସମ୍ପାଦକ ରାମାଶିଷ ହାଜେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ମାଲକାନଗିରି ପଡିଆ ଏସଏସଡି ସ୍କୁଲରୁ 108 ଜଣ ପରୀକ୍ଷାର୍ଥୀଙ୍କ ଓଏମଆର ଗାଏବ ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଏନେଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ତେବେ ଏତଲା ଦେବା ପରେ ସମ୍ପୃକ୍ତ ସ୍କୁଲର ଦାୟିତ୍ବରେ ଥିବା ସୁପରିଟେଣ୍ଡ, ଡେପ୍ୟୁଟି ସୁପରିଟେଣ୍ଡ ଓ ଜଣେ ଅବଜରଭରଙ୍କୁ ଗିରଫ କରିଛି ପୋଲିସ ।
ସେହିପରି ଘଟଣାରେ ସମ୍ପୃକ୍ତ ଅନ୍ୟ 4ଜଣକୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ତେବେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯ।ଇଥିବା ସତ୍ତ୍ବେ ଓଏମଆର ସିଟ ବିଷୟରେ କୌଣସି ପତ୍ତା ମିଳୁନାହିଁ । ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଓଏମଆର ସିଟ ଗାଏବ ହୋଇଥିବା ପରୀକ୍ଷାର୍ଥୀଙ୍କ ଭାଗ୍ୟ କ'ଣ ରହିବ ସେନେଇ ଚିନ୍ତାରେ ଅଭିଭାବକ ଥିବା ବେଳେ ପରୀକ୍ଷା ସରିବାର ଦୁଇ ତିନି ପରେ ଅର୍ଥାତ 11 ଓ 12 ତାରିଖରେ ପରୀକ୍ଷା କମିଟି ଏନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବୋର୍ଡ ସମ୍ପାଦକ ।
ସେହିପରି କପି ହେବା ପରେ ବୋର୍ଡ ସମ୍ପୃକ୍ତ 3ଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷାକୁ ବାତିଲ କରିଥିଲେ । ତେବେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମପି କରାଯିବ ନା ଫେଲ କରାଯିବ ସେନେଇ ପରୀକ୍ଷା କମିଟି ନିଷ୍ପତି ନେବ ବୋଲି ଆଜି ବୋର୍ଡ଼ ସମ୍ପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ