କଟକ: ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ଦିନ କଟକ ବିଜୁ ପଟ୍ଟନାୟକ ଛକରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରବୋଧ । ଏହାପରେ ଅତି ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ଦୁର୍ଘଟଣାରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆଜି ସନ୍ଧ୍ୟା ୬ଟା ସମୟରେ ତାଙ୍କର ପରଲୋକ ଘଟିଛି ।
ଓକାକର ଡେପୁଟି ସେକ୍ରେଟାରୀ ପଦରେ ମଧ୍ୟ ଥିଲେ ପ୍ରବୋଧ ରାଉତ । ସେ ଜଣେ ଭଲ ମଣିଷ ଓ ସୁସାହିତ୍ୟିକ ଥିଲେ । ତାଙ୍କର ଅକାଳ ବିୟୋଗ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଆଜି ରାତିରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ଓ ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ କହିଛନ୍ତି । ୧୯୭୧ ମସିହାରେ ଜଗତସିଂହପୁର ଜିଲ୍ଲା କଟରା ପଞ୍ଚାୟତ ଅଧୀନ ଗୋପାଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପ୍ରବୋଧ ରାଉତ । ବାପା ଧର୍ମାନନ୍ଦ ରାଉତ ପ୍ରାକ୍ତନ ଡାକ ବିଭାଗ କର୍ମଚାରୀ ଓ ମାଆ ପ୍ରମିଳା ରାଉତ ଗୃହିଣୀ । ଗାଁରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସାରି କଟକ, ଭୁବନେଶ୍ବରରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ସହ ଆଇନରେ ସ୍ନାତକ, ସମବାୟ ପରିଚାଳନା ଓ ରପ୍ତାନୀ ପରିଚାଳନାରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ । ବାଲିଆ କଲେଜରେ କିଛିଦିନ ଅଧ୍ୟାପନା କରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ସ୍ବର୍ଗତ ପ୍ରବୋଧ ରାଉତ ।
ଏହା ମଧ୍ୟ ପଢ଼ନ୍ତୁ...କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡିଙ୍କ ପରଲୋକ, ଦୁଇ ଦିନିଆ ଶୋକ ଘୋଷଣା
ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ଥିବାବେଳେ ତାଙ୍କର ନିଶା କିନ୍ତୁ ଥିଲା ସାରସ୍ବତ ସାଧନା । ଓଡ଼ିଆ କବି ଓ ଲେଖକଙ୍କ ଦ୍ବାରା ପ୍ରଭାବିତ ହୋଇ ଲେଖାଲେଖି ଆରମ୍ଭ କରିଥିଲେ । କବିତା ଗ୍ରନ୍ଥ 'ଏକାବନ କବିତା', ମିନି କବିତା ଭୁଲିପାରୁନି ବୋଲି, ଗୀତ ବହି ହୃଦୟ ସଙ୍ଗୀତ, ଗଳ୍ପ ବହି ଗପସପ, ଅଜନ୍ତା ଏଲୋରା ପରୀ, ହୃଦୟ ମାଗୁଥିବା ଝିଅ, ନାଟକ ବହି ନାଟ୍ୟଶାଳା, ଇଂରାଜୀ ନାଟକ ମିଷ୍ଟ୍ରି ଅଫ୍ ବ୍ରୋଙ୍କ୍ ଟଙ୍କ୍ର୍ ଆଦି ତାଙ୍କର ସାରସ୍ବତ କୃତି । ଏହା ବ୍ୟତୀତ ଅନେକ ପତ୍ରପତ୍ରିକାରେ ତାଙ୍କର ବହୁ ଲେଖା ପ୍ରକାଶ ପାଇଛି । ତେବେ ତାଙ୍କର ବିୟୋଗରେ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ଇଟିଭି ଭାରତ, କଟକ