କଟକ: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ତିନି ଜଣିଆ କମିଟି ରିପୋର୍ଟ ଦାଖଲ କରିଛି।
କମିଟିର ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେବୀ ମୁହାଣରେ ମାଛ ଧରାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଗହୀରମଥା ଉପକୂଳର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ମେରାଇନ ଥାନା ଏହା ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି। ଏହି ଥାନା ଗୁଡିକୁ ତୁରନ୍ତ ପାଟ୍ରୋଲିଂ ବୋଟ ଓ ଅଧିକ କର୍ମଚାରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ କର୍ମଚାରୀଙ୍କ ସହ ଥାନା ଷ୍ଟାଫ ମିଳିତ ଭାବେ ଯେଭଳି କୌଣସି ଟ୍ରଲର ପ୍ରବେଶ ନ କରିବେ, ତାହା ଦେଖିବାକୁ ନିର୍ଦ୍ଦେଶ ରହିଛି। ଗହୀରମଥାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ବୁଲା କୁକୁର, ଘୁଷୁରୀ ଓ ବିଲୁଆଙ୍କ ଠାରୁ କିଭଳି ସୁରକ୍ଷିତ ରଖା ଯାଇପାରିବ, ସେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି।
ମାଛ ଧରା ବୋଟ ଗୁଡିକରେ ଜିପିଏସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି, ଯାହାଦ୍ୱାରା ବୋଟ କୁଆଡେ ଯାଉଛି, ସହଜରେ ଜଣାପଡିବ। ରାଜ୍ୟ ସରକାର ଇସ୍ରୋ ସହ ଯୋଗାଯୋଗ କରି ସମସ୍ତ ଟ୍ରଲରରେ ଟ୍ରାନ୍ସପଣ୍ଡର ବ୍ୟବହାର କରିବେ। ତାମିଲନାଡୁରେ ଏହା ବ୍ୟବହାର ହେଉଥିବା କମିଟି କୋର୍ଟଙ୍କୁ ଅବଗତ କରିଛି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ରାଜ୍ୟକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।
ମତ୍ସ୍ୟଜୀବୀଙ୍କ ପାଇଁ ବିକଳ୍ପ ରୋଜଗାର ପନ୍ଥା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ କମିଟି ପ୍ରସ୍ତାବ ରଖିଥିବା ବେଳେ ସରକାର କଣ ପଦକ୍ଷେପ ନେବେ ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ତେବେ ହାଇକୋର୍ଟଙ୍କ ନିଯୁକ୍ତ କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଅମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଅଛନ୍ତି । କମିଟି ଗହୀର ମଥା ଯାଇ ଟ୍ରଲର ଆସୋସିଏସନ ସହ ଆଲୋଚନା କରିଥିଲେ। ଏହି ଟିମ ଗହୀରମଥା ଓ ଭିତରକନିକାରେ ଅନୁଧ୍ୟାନ କରିଥିଲେ। ଏହାସହ ଋଷିକୂଲ୍ୟା ଯାଇ ସେଠାରେ ମଧ୍ୟ ସ୍ଥିତି ପରଖିଥିଲେ। ଓଡିଶାକୁ ଆସୁଥିବା ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କଣ ସମସ୍ୟା ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ। ଟିମ ପ୍ରଦାନ କରିଥିବା ରିପୋର୍ଟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆଉ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ନିଜ ଆଡୁ ରୁଜୁ କରିଛନ୍ତି ଏହି ମାମଲା। କେନ୍ଦ୍ର ସରକାରଙ୍କ ପରିବେଷ ଓ ଜଙ୍ଗଲ ବିଭାଗକୁ ଏହି ମାମଲାରେ ନୂଆ ପ୍ରତିପକ୍ଷ କରାଯାଇଛି। ଏପ୍ରିଲ ୨୯ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିବା ବେଳେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ତା ପୂର୍ବରୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ