ନିଆଳି: ସରକାରଙ୍କ ମାଳମାଳ ଯୋଜନା ପ୍ରଣୟନ ହେଉଥିଲେ ବି ଅନେକ ଗାଁରେ ଗଡି ପାରିନି ବିକାଶର ରଥ । ରାସ୍ତା ଖଣ୍ଡେ ନଥିବାରୁ କାଦୁଅ ପଚପଚ ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀ । କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ଓଳାଂଶ ଗାଁରେ କିଛି ଏଭଳି ଭାବରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଗାଁକୁ ଚାଲ ଗାଁକୁ ଗଢ଼ ସରକାର ନାରା ଦେଉଥିବା ବେଳେ ଗାଁର ଅବସ୍ଥା ସୁଧୁରିବା ବଦଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲିଗିଛି । ଖରା ଦିନରେ ଗାଁକୁ ଯିବାରେ ସମସ୍ୟା ଉପୁଜୁ ଥିବା ବେଳେ ବର୍ଷା ଦିନରେ ରାସ୍ତା ଅବସ୍ଥା ନକହିବା ଭଲ । ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନଧିଙ୍କୁ ଗୁହାରି କରି କରି ଥକିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ରାସ୍ତା ନିର୍ମାଣ ଦାବିରେ କାଦୁଅ ରାସ୍ତାରେ ଧାନତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ୨୩ ନମ୍ବର ଓ୍ବାର୍ଡର ହେଉଛି ଓଳାଂଶ ଗାଁ । ଗାଁର ଜନସଂଖ୍ୟା ଶହେରୁ ଊର୍ଦ୍ଧ୍ବ । ହେଲେ ଏଯାଏଁ ଗାଁରେ ଭଲ ରାସ୍ତାଟିଏ ଦେଖି ନାହାନ୍ତି ଗାଁ ଲୋକେ । ଲଗାତାର ଏଠି ବିଜେଡି ଶାସନ ଗାଦିରେ ବସି ଆସିଛି । କିନ୍ତୁ ବିକାଶର ନାଁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ବିକାଶର ଡିଣ୍ଡିମ ପିଟୁଥିବ ବେଳେ ଅଏ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ରହିଯାଇଛି । ସେଭଳି ଗାଁ ଭିତରୁ ଗୋଟିଏ ଓଳାଂଶ ଗାଁ । ଉଭୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏହି ଗାଁର ବିକାଶରେ ସହାୟକ ହୋଇ ପାରିନି । କେହି ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ବର୍ଷା ଦିନ ଆସିଲେ ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ରୋଗୀସେବା ବାଧାପ୍ରାପ୍ତ ହୋଇଥାଏ । କିନ୍ତୁ ଦାୟିତ୍ଵରେ ଥିବା ନେତା କିମ୍ବା ନିଆଳି ବ୍ଳକ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ରାଜନୈତିକ କନ୍ଦଳ ମଧ୍ୟରେ ଓଳାଂଶ ଗାଁର ଲୋକେ ପକ୍କା ରାସ୍ତା ବଦଳରେ କାଦୁଅ ରାସ୍ତା ଉପରେ ଆଜିବି ଯାତାୟାତ କରୁଛନ୍ତି । ଶେଷରେ ବାଧ୍ୟ ହୋଇ ରାସ୍ତା ନିର୍ମାଣ ଦାବିରେ ଗାଁର ଲୋକେ କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିବା ସହ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ନିଆଳି