କଟକ: ଜିଲ୍ଲା 42 ମୌଜା ଘର ପୋଡି ମୃତ୍ୟୁ ଘଟଣାରେ ଦିନକୁ ଦିନ ତଦନ୍ତର ଦିଗ ଜଟିଳ ହେଉଛି । କିଏ ବାହାର ପଟୁ କବାଟ କିଳି ଘରେ ନିଆଁ ଲଗାଇଲା ତାର ଟେର ପାଉନାହିଁ ପୋଲିସ । ପ୍ରେମ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଣ୍ଡ ଘଟିଥିବା ଅନୁମାନ କରାଯାଉଥିବାବେଳେ ପୋଲିସ କିଛି ସଠିକ ସୂଚନା ଦେଇପାରୁନାହିଁ । ପୋଲିସ ରାଡ଼ାର ମଧ୍ୟକୁ କିଛି ବ୍ୟକ୍ତି ଙ୍କ ନାଁ ଆସିଛି । ତାଙ୍କୁ ପଚରାଉଚରା କରାଯାଉଛି । ଖୁବ ଶୀଘ୍ର ଏହି ମାମଲାରେ ଅଭିଯୁକ୍ତକୁ ଧରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ଡିସିପିଙ୍କ ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଟକ 42 ମୌଜା ମଣିବାଡ଼ ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ଗୋଟିଏ ପରିବାର 3 ଜଣଙ୍କୁ ନିର୍ମମ ଭାବରେ ପୋଡ଼ି ଦେଇଥିଲା ଦୁର୍ବୃତ୍ତ । ରାତିରେ ଶୋଇଥିଲା ବେଳେ ଘର ସାମ୍ନା ପଟୁ କବାଟରେ ତାଲା ମାରି ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ଅବସ୍ଥାରେ ଏସିବି ମେଡିକାଲରେ ଚିକିତ୍ସା ଜାରି ରହିଛି ବୋଲି କହିଛନ୍ତି ଡିସିପି ।
ଏହି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି । ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାଁମ ରମେଶ ମଲ୍ଲିକ । କିଏ ଏପରି କାଣ୍ଡ ଭିଆଇଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଦୋଷୀକୁ ଧରିବା ନେଇ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଛାନଭିନ ଜାରି ରଖିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ