କଟକ: ସହରରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା। ହେଲେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଏବେ ଏହି ପ୍ରକଳ୍ପକୁ ସମ୍ପ୍ରସାରିତ କରାଯାଇଛି । ମେଟ୍ରୋ ଟ୍ରେସକୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ କାଠଯୋଡି ପୋଲ ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ବିଶିଷ୍ଟ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏହି ସେତୁର ଉପରେ ରେଳଧାରଣା ରହିବ, ଯାହା ଉପରେ ମେଟ୍ରୋ ଟ୍ରେନ୍ ଯିବା ଆସିବା କରିବ। ଆସନ୍ତା ମାସର ପ୍ରଥମ ସପ୍ତାହରେ ଏହି ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି ଜଣାପଡିଛି ।
କଟକ ଓ ଭୁବନେଶ୍ବର ମଧ୍ୟରେ ଗମନାଗମନର ଅନ୍ୟତମ ମାଧ୍ୟମ ପାଲଟିବାକୁ ଯାଉଥିବା ଏହି ବହୁପ୍ରତିକ୍ଷିତ ପ୍ରକଳ୍ପକୁ ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ସିଏମସି କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ କହିଛନ୍ତି, "ତ୍ରିଶୂଳିଆରୁ ଆରମ୍ଭ କରି ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁ୍ଥିବା ନେତାଜୀ ସେତୁକୁ ଲାଗି ଏକ ନୂତନ ପୋଲ ନିର୍ମାଣ ପାଇଁ ହୋଇଥିବା ଯୋଜନାରେ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ୨୨୦ କୋଟି ଟଙ୍କାର ଟେଣ୍ଡରକୁ ବାତିଲ କରାଯାଇ ୭୦୦ କୋଟି ଟଙ୍କା ବ୍ୟୟରେ ୬ ଲେନ ବିଶିଷ୍ଟ ସେତୁ ନିର୍ମାଣର ଯୋଜନା ହୋଇଛି । ଏହାର ତଳକୁ ବସ୍ ତଥା ଅନ୍ୟ ଯାନବାହନ ଚଳାଚଳର ବ୍ୟବସ୍ଥା କରାଯିବ। ଏହି ସେତୁ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି।" ତେବେ ଏହି ସମ୍ପ୍ରସାରିତ ମେଟ୍ରୋ ପ୍ରକଳ୍ପ ଜୁଡିସିଆଲ ଏକଡେମୀ, ଶିଶୁ ଭବନ, ହାଇକୋର୍ଟ, ପୁରୀଘାଟ ଦେଇ ନେତାଜୀ ବସ୍ ଟର୍ମିନାଲକୁ ଯୋଡ଼ିବ।
ଏହା ମଧ୍ୟ ପଢନ୍ତୁ...ମେଟ୍ରୋ ରେଲ୍ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ସୂଚନା ଅନୁସାରେ, ଗାଡ଼ି ମୋଟରଗୁଡ଼ିକର ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି କାଠଯୋଡି ଉପରେ ଥିବା ନେତାଜୀ ସେତୁକୁ ଲାଗି ଆଉ ଏକ ୨୦ ମିଟର ଓସାରର ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଏହି ପୋଲ ନିର୍ମାଣ ପାଇଁ OBCC ପକ୍ଷରୁ ଟେଣ୍ଡର ମଧ୍ୟ ଡକାଯାଇଥିଲା। କିନ୍ତୁ ମେଟ୍ରୋ ପ୍ରକଳ୍ପ ଭୁବନେଶ୍ବର ବିମାନବନ୍ଦରରୁ CNBT ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଉଥିବା ଯୋଗୁଁ କାଠଯୋଡି ଉପରେ ପାରମ୍ପରିକ ପୋଲ ବଦଳରେ ୬ ଲେନ ବିଶିଷ୍ଟ ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "2024ରେ ମେଟ୍ରୋ ପ୍ରକଳ୍ପ କଟକ ସହର ପାଇଁ ଗର୍ବ ଓ ଗୌରବ ଆଣି ଦେଉଛି । ଆସନ୍ତା ମାସରେ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପା ଶିଳାନ୍ୟାସ କରାଯିବ।" ରାଜ୍ୟର ସର୍ବପ୍ରଥମ ଆଧୁନିକ ବସ ଟର୍ମିନାଲ ସହ ବିମାନବନ୍ଦର ସିଧାସଳଖ ଯୋଡି ହେବାକୁ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଟ୍ବିନସିଟିବାସୀ ।
ଇଟିଭି ଭାରତ, କଟକ