କଟକ: ନଗର କଂଗ୍ରେସର ନୂତନ ସଭାପତିଙ୍କ ନିଯୁକ୍ତି ପରେ କଟକରେ ମଜଭୁତ ହେଉଛି ଦଳ । ଦଳୀୟ କାର୍ଯ୍ୟାଳୟରେ ବିଜେଡି, ବିଜେପି ଓ କମ୍ୟୁନିଷ୍ଟ ଦଳର ଶତାଧିକ କର୍ମୀ ରବିବାର କଂଗ୍ରେସରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି ନୂତନ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ଆଗାମୀ ଦିନରେ ସଙ୍ଗଠନ ଆହୁରି ସୁଦୃଢ଼ ହେବ ବୋଲି ସଭାପତି କହିଛନ୍ତି ।
କଟକ ନଗର କଂଗ୍ରେସର ସଭାପତି ଭାବରେ ଦଳର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କ ନିଯୁକ୍ତି ପରେ ପୁଣିଥରେ ବଳ ଗୋଟାଉଛି କଂଗ୍ରେସ । ତେବେ ରବିବାର ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଦା ସାହୁ, ଶ୍ରୀଚନ୍ଦନ ପ୍ରଧାନ, ଆଲୋକ ମହାନ୍ତ, ସହଦେବ ବେହେରା ପ୍ରମୁଖଙ୍କ ସମେତ ବିଭିନ୍ନ ଦଳର ଶତାଧିକ କର୍ମୀ କଂଗ୍ରେସରେ ମିଶିଛନ୍ତି । ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି ସଭାପତି ସୁରେଶ ମହାପାତ୍ର ।
ପୂର୍ବରୁ ୨୦୦୦ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସୁରେଶ ମହାପାତ୍ର ନଗର କଂଗ୍ରେସର ସଭାପତି ଦାୟିତ୍ବରେ ରହିଥିଲେ । ତେବେ ମିଶ୍ରଣ ପର୍ବକୁ ନେଇ ସେ କହିଛନ୍ତି, "କଟକ ସହରର ବହୁ ବରିଷ୍ଠ ନେତା କଂଗ୍ରେସରେ ଯୋଗଦାନ କରିଥିବାରୁ ଆଜି ଦଳ ପାଇଁ ଖୁସିର ଦିନ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବିଶ୍ବାସ ପ୍ରକଟ କରି ଦଳର ତୃଣମୂଳସ୍ତରର ବହୁ ନେତା ଆଜି ଦଳକୁ ଫେରିଛନ୍ତି । ସେମାନଙ୍କ ଯୋଗଦାନ ଫଳରେ ଦଳ କଟକ ସହର ସମେତ ସାରା ରାଜ୍ୟରେ ସୁଦୃଢ଼ ହେବ ।" ଆଗାମୀ ଦିନରେ ବିଭିନ୍ନ ଦଳରୁ ଆହୁରି ଅନେକ ନେତା ଦଳରେ ସାମିଲ ହେବେ ବୋଲି ସଭାପତି ସୁରେଶ ମହାପାତ୍ର କହିଛନ୍ତି ।
ଇଟିଭି ଭାରତ, କଟକ