କଟକ: ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରେ ଅନେକ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସିଏମସି।
କଣ୍ଟେନମେଣ୍ଟ ଅଞ୍ଚଳ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଛି। କୌଣସି ବାହାର ଲୋକ ସେହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ଓ କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ। ସେହିପରି କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ସ୍ଥାନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ସିଏମସି। ଏଥିଲାଗି ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ସେହିପରି ଘର ଘର ବୁଲି ସାନିଟାଇଜ କରାଯିବ। ଗୁରୁବାର ଠାରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ