ନିଆଳି: ଯେଉଁଠି ଦିନେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ସାଧାରଣ ଲୋକଙ୍କ ପାଇଁ ସାତ ସପନ ଥିଲା । ସେଇଠି ଏ.ଦୋବେ ଚାରିଟେବଲ ଟ୍ରଷ୍ଟ ଦ୍ଵାରା ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟର ବିକାଶ ସାଙ୍ଗକୁ ଶିକ୍ଷାର ବିକାଶ । ହେଲେ ୨୬ ବର୍ଷ ପରେ ଏବେ ହଠାତ୍ ବନ୍ଦ ହୋଇଯାଇଛି ସ୍ବାସ୍ଥ୍ୟ ଏବଂ ଶିକ୍ଷାନୁଷ୍ଠାନ। ଫଳରେ ରୋଗୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କ ଭବିଷ୍ୟତ ଅନ୍ଧାରରେ ।
କଟକ ଜିଲ୍ଲା ନିଆଳି ବ୍ଳକ ତିହୁଡି ପଞ୍ଚାୟତର ଜୁଆଙ୍ଗ ଗାଁ । ୨୫ ବର୍ଷ ତଳେ ଗାଁକୁ ନା ଗମନାଗମନର ସୁବିଧା ଥିଲା ନା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା । ଏନେଇ ଜୁଆଙ୍ଗ ଅଞ୍ଚଳର ଗୋବିନ୍ଦ ଲେଙ୍କାଙ୍କ ଉଦ୍ୟମରେ ସୁଦୂର ଆମେରିକାର ମାଇକେଲ ଏ.ଦୋବେଙ୍କ ଜରିଆରେ ଜୁଆଙ୍ଗ ଗାଁରେ ୧୯୯୭ ମସିହା ଏପ୍ରିଲ ୨ ତାରିଖରେ ଗଢ଼ି ଉଠିଥିଲା ଏକ ସ୍ବାସ୍ଥ୍ୟକେନ୍ଦ୍ର । ଯାହା ମାଇକେଲ ଏ.ଦୋବେ ଚାରିଟେବୁଲ ଟ୍ରଷ୍ଟ୍ ଦ୍ଵାରା ପରିଚାଳିତ ହେଉଥିଲା । ଜୁଆଙ୍ଗ ଗାଁର ଏହି ଡାକ୍ତରଖାନା ଉପରେ ୫ରୁ ଅଧିକ ପଞ୍ଚାୟତର ଲୋକେ ମାଗଣାରେ ସ୍ବାସ୍ଥ୍ୟ ସେବା ପାଉଥିଲେ । ଡାକ୍ତର, ନର୍ସଙ୍କଠାରୁ ଆରମ୍ଭ କରି ୪୨ ଜଣ କର୍ମଚାରୀଙ୍କ ଦ୍ଵାରା ଏହି ମେଡିକାଲ୍ ପରିଚାଳିତ ହେଉଥିଲା । ଏଥିସହ ମାଇକେଲ ଏ.ଦୋବେ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମାସିକ ଦରମା ମଧ୍ୟ ପାଉଥିଲେ ନିଯୁକ୍ତ କର୍ମଚାରୀ ।
ସେହିପରି ସ୍ବାସ୍ଥ୍ୟସେବା ପରେ ଶିକ୍ଷାର ବିକାଶ ପାଇଁ ୨୦୦୨ ମସିହାରେ ଉକ୍ତ ଟ୍ରଷ୍ଟ ପକ୍ଷରୁ ନିଆଳି ବ୍ଳକର ଜୁଆଙ୍ଗ ଗାଁରେ ବିବେକାନନ୍ଦ ପବ୍ଲିକ ସ୍କୁଲ ନାମକ ଏକ ଶିକ୍ଷାନୁଷ୍ଠାନ ନିର୍ମାଣ କରାଯାଇଥିଲା । ଯେଉଁଥିରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଥିଲା । କେଜି ଓ୍ବାନ୍ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି ଉକ୍ତ ଟ୍ରଷ୍ଟ କଟକ ଜିଲ୍ଲାରେ ଏକ ଅଗ୍ରଣୀ ଟ୍ରଷ୍ଟ୍ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା । ତେବେ ଶିକ୍ଷା ଦାନ ପାଇଁ ୪୪ ଜଣ କର୍ମଚାରୀଙ୍କୁ ନେଇ ୮ଟି ଶ୍ରେଣୀର ୩୫୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । କର୍ମଚାରୀ ମାନଙ୍କ ପ୍ରାପ୍ୟ ବାବଦକୁ ମାଇକେଲ ଏ.ଦୋବେ ଟ୍ରଷ୍ଟ୍ ମାସିକ ଦରମା ଆକାରରେ ପ୍ରଦାନ କରୁଥିଲା ।
ମାତ୍ର କୌଣସି କାରଣରୁ ୨୦୨୨ ମସିହା ଅକ୍ଟୋବର ୧ ତାରିଖଠାରୁ ଉକ୍ତ ଟ୍ରଷ୍ଟ ଦରମା ବନ୍ଦ କରିବା ସହିତ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ ଅନୁଦାନ ବନ୍ଦ ଯୋଗୁଁ ଶଙ୍କଟରେ କର୍ମଚାରୀ । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ରହିଥିବା ବେଳେ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏନେଇ କର୍ମଚାରୀ ଏବଂ ଅଭିଭାବକ ମାନେ ନିଆଳି ପ୍ରଶାସନଠାରୁ ଆରମ୍ଭ କରି କଟକ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ସୁଦ୍ଧା କେବଳ ତଦନ୍ତରେ ସୀମିତ ରହିଛି ଅଭିଯୋଗ । ଯାହାଫଳରେ କି ୧୦ ମାସ ଧରି ଶିକ୍ଷାନୁଷ୍ଠାନ କର୍ମଚାରୀମାନେ ବିନା ବେତନରେ ପାଠ ପଢ଼ାଉଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁଛି । ତେବେ ମାଇକେଲ ଏ.ଦୋବେ କାହିଁକି ହଠାତ୍ ସ୍ବାସ୍ଥ୍ୟ ଓ ଶିକ୍ଷାନୁଷ୍ଠାନ ବନ୍ଦ କଲେ ଏନେଇ କର୍ମଚାରୀଙ୍କ ନିକଟରେ କୌଣସି ଉତ୍ତର ନଥିବା ବେଳେ ଏ ସମ୍ପର୍କରେ ମାଇକେଲ ଏ.ଦୋବେଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, କଟକ